ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ବେସାମରିକ ସମ୍ମାନ- “ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍”

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଭାରତ ଓ ସ୍ଲୋଭାକିଆ ମଧ୍ୟରେ ବଢ଼ିବ ସହଭାଗିତା । ଦ୍ୱିପାକ୍ଷିକ ବାଣିଜ୍ୟ ଓ ପ୍ରତିରକ୍ଷା ସହଯୋଗ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ଲୋଭାକିଆ ପ୍ରତିପକ୍ଷ ରବର୍ଟ ଫିକୋ ସହମତି ପ୍ରକାଶ କରିଛନ୍ତି । ୧୯୯୩ ମସିହାରେ ୟୁରୋପୀୟ ଦେଶ ‘ସ୍ଲୋଭାକିଆ’ ସ୍ୱାଧୀନତା ପାଇବା ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ସ୍ଲୋଭାକିଆ ଗସ୍ତ । ବିମାନ ବନ୍ଦରରେ ମୋଦୀ ପହଁଞ୍ଚିବା ପରେ ସ୍ଲୋଭାକିଆର ବିଦେଶ ମନ୍ତ୍ରୀ ଜୁରାଜ ବ୍ଲନର ପାରମ୍ପରିକ ରୁଟି ଓ ଲୁଣରେ ସ୍ୱାଗତ କରିଥିଲେ ।
ସୋମବାର ଏହି ଆଲୋଚନା ମଧ୍ୟରେ ଗାଡ଼ି, ରେଲଓ୍ବେ, ଆଧୁନିକ ଉତ୍ପାଦନ ଏବଂ ସବୁଜ ପ୍ରଯୁକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଆଲୋଚନା ହୋଇଛି । ଭାରତ-ୟୁରୋପୀୟ ୟୁନିୟନ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ତୁରନ୍ତ କାର୍ୟ୍ୟକାରୀ କରିବା ଦିଗରେ ଏକାଠି କାର୍ଯ୍ୟ କରିବାକୁ ଉଭୟ ନେତା ସହମତ ହୋଇଛନ୍ତି। ଆମେ ଆମ ସମ୍ପର୍କକୁ ବିସ୍ତୃତ ସହଭାଗିତାକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଭାରତ-ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଚୂଡ଼ାନ୍ତ କରିବାରେ ସ୍ଲୋଭାକିଆର ସହଯୋଗ ପାଇଁ ଫିକୋଙ୍କୁ ମୋଦି ପ୍ରଶଂସା କରିଛନ୍ତି। ମୋଦି ଭାରତରେ ସର୍ବାଧିକ ସମୟ କ୍ଷମତାରେ ଥିବା ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ଫିକୋ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ଲୋଭାକିଆର ସର୍ବୋଚ୍ଚ ବେସାମରିକ ସମ୍ମାନ ଦି ଅର୍ଡର ଅଫ୍ ଦି ହ୍ୱାଇଟ୍ ଡବଲ୍ କ୍ରସ୍ (ପ୍ରଥମ ଶ୍ରେଣୀ)ରେ ସମ୍ମାନିତ କରାଯାଇଛି। ମୋଦୀଙ୍କୁ ବିଦେଶରେ ଏହା ୩୩ତମ ଅନ୍ତର୍ଜାତୀୟ ସମ୍ମାନ। ଅନ୍ୟପଟେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତକୁ ସ୍ଥାୟୀ ସଦସ୍ୟ କରିବା ସପକ୍ଷରେ ମତ ଦେଇଛନ୍ତି ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ । ଏଥସହିତ ସ୍ଲୋଭାକିଆର ଏକ ବିଶ୍ୱବିଦ୍ୟାଳୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସମ୍ପର୍କିତ ଭାରତ ଚେୟାର ସ୍ଥାପନ ହେବ ବୋଲି ଘୋଷଣା କରିଛି ସ୍ଲୋଭାକିଆ ।




