ଓଡ଼ିଶାରାଜନୀତି

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଆଗମନ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;   ରାଜ୍ୟ ସରକାରଙ୍କ ସଫଳ ୨ ବର୍ଷ ଏବଂ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ହାଇପ୍ରୋଫାଇଲ୍ ଗସ୍ତକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।

 

ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୋଲିସ ମହାନିର୍ଦ୍ଦେଶକ ଯୋଗେଶ୍ ବାହାଦୂର ଖୁରାନିଆ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ (ACS) ଏବଂ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ବ୍ଲୁ-ପ୍ରିଣ୍ଟ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ବିଶେଷ କରି ମେଗା ସାଧାରଣ ସଭା ଏବଂ VVIPମାନଙ୍କ ଗମନାଗମନ ସମୟରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗକୁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

ଆସନ୍ତା ଜୁନ୍ ୧୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଗସ୍ତରେ ନିଜ ଜିଲ୍ଲା ମୟୂରଭଞ୍ଜରେ ପହଞ୍ଚିବେ। ଏହି ଗସ୍ତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଭାବପୂର୍ଣ୍ଣ ଦିଗ ହେଉଛି ଆସନ୍ତା ଜୁନ୍ ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଶୁଭ ଜନ୍ମଦିନ। ନିଜ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ନିଜ ଜନ୍ମଭୂମି ଏବଂ ପ୍ରଥମ କର୍ମଭୂମି ରାଇରଙ୍ଗପୁରରେ ଉପସ୍ଥିତ ରହିବେ, ଯାହା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଜନ୍ମମାଟିରେ ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ବୈଠକରୁ ସୂଚନା ମିଳିଛି। ଏହି କ୍ରମରେ ଜୁନ୍ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଇରଙ୍ଗପୁରରେ ପହଞ୍ଚି ରାଷ୍ଟ୍ରପତିଙ୍କ ସହ ଏହି ଐତିହାସିକ ରାଜ୍ୟସ୍ତରୀୟ ମେଗା ଉତ୍ସବରେ ସାମିଲ ହେବେ  ଏବଂ ରାଇରଙ୍ଗପୁରଠାରେ ଆୟୋଜିତ ଏକ ବିଶାଳ ସାଧାରଣ ସଭାକୁ ସମ୍ବୋଧିତ କରିବେ।

 

ଏହି ମିଳିତ ଗସ୍ତ ରାଜ୍ୟର  ବିକାଶର ଗତିକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ଆଶା ବ୍ୟକ୍ତ କରିଛନ୍ତି।  ରାଜ୍ୟବାସୀଙ୍କ ପାଇଁ ସବୁଠାରୁ ବଡ଼ ଖୁସିର ଖବର ହେଉଛି – ଏହି ମଞ୍ଚରୁ ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଓଡ଼ିଶା ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ହଜାର ହଜାର କୋଟି ଟଙ୍କାର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଏଥିମଧ୍ୟରେ ବହୁ ପ୍ରତୀକ୍ଷିତ ରେଳବାଇ ପ୍ରକଳ୍ପ, ମେଗା କୋଲ୍ ଗ୍ୟାସିଫିକେସନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ହେବା ନେଇ ବୈଠକର ଆଲୋଚନାରୁ ଜଣାପଡିଛି। ପ୍ରଥମେ୧୯ ତାରିଖ ଦିନ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ଠାରେ ସ୍ବାସ୍ଥ୍ୟ ବିଭାଗୀୟ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟକ୍ରମ ଉଦଘାଟନ କରିବେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଡିକେ ସିଂ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ବତ ମିଶ୍ର, ଗୃହ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଗୁଇନ୍ଦା ଡିଜି ବିନୟତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Back to top button