Uncategorized

ସରପଞ୍ଚ ଚାମେଲିଙ୍କ ଗିରଫଦାରୀ ପରେ ସରଗରମ ରାଜନୀତି: ହସ୍ପିଟାଲରେ ଭେଟିଲେ ଭକ୍ତ ଦାସ

ଭୁବନେଶ୍ବର: ବହୁ ଚର୍ଚ୍ଚିତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରାପଡ଼ାର ରାଜନୈତିକ ପରିବେଶ ବେଶ୍‌ ଉଷ୍ମ ହେବାରେ ଲାଗିଛି। ଚାମେଲିଙ୍କୁ ଗିରଫ କରାଯିବା, ଜେଲ୍‌ ପଠାଯିବା ଏବଂ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପୁଣି ଚିକିତ୍ସାଳୟରେ ଭର୍ତ୍ତି କରାଯିବା ଘଟଣାକୁ ନେଇ କଂଗ୍ରେସ, ବିଜେପି ଓ ସିପିଆଇ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି କ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଚାମେଲି ଓଝାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଚାମେଲିଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇବା ସହ ଆବଶ୍ୟକ ସ୍ଥଳେ ତାଙ୍କୁ କଟକ ବଡ଼ ଡାକ୍ତରଖାନା (SCB) କିମ୍ବା ଭୁବନେଶ୍ୱର AIIMSକୁ ସ୍ଥାନାନ୍ତର କରିବା ପାଇଁ ସେ ଦାବି କରିଛନ୍ତି। ଏହାସହିତ ସରପଞ୍ଚଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ନିରପେକ୍ଷ ତଦନ୍ତ, ତାଙ୍କ ମୋବାଇଲ୍‌ ଫୋନ୍‌ ଫେରସ୍ତ ଏବଂ ପ୍ରକୃତ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ଦାସ ଜିଲ୍ଲା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆଙ୍କ ସହ ଆଲୋଚନା କରିଛନ୍ତି। ପରେ ପିସିସି ସଭାପତି ଜିଲ୍ଲାପାଳ ରଘୁରାମ ଆର୍‌. ଆୟରଙ୍କୁ ଭେଟି ତିଖିରୀ ପଞ୍ଚାୟତର ବିଭିନ୍ନ ଅଟକି ରହିଥିବା ଉନ୍ନୟନମୂଳକ କାର୍ଯ୍ୟର ବିଲ୍‌ ପ୍ରସଙ୍ଗ ଉଠାଇଥିଲେ। କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ପଞ୍ଚାୟତର ବିକାଶ କାର୍ଯ୍ୟକୁ ବାଧାପ୍ରାପ୍ତ କରାଯାଉଥିବା ଅଭିଯୋଗ କରିବା ସହ ଏଥିପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

Related Articles

Back to top button