କୋଲକାତାରେ ଭାଙ୍ଗିଲା ମେସିଙ୍କ ୭୦ ଫୁଟର ମୂର୍ତ୍ତି


ନୂଆଦିଲ୍ଲୀ: ପଶ୍ଚିମବଙ୍ଗର କୋଲକାତାଠାରେ ନିର୍ମିତ ଆର୍ଜେଣ୍ଟିନାର ମହାନ ଫୁଟ୍ବଲ୍ ତାରକା ଲିଓନେଲ ମେସିଙ୍କ ଏକ ୭୦ ଫୁଟ ଉଚ୍ଚତାର ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା ସେଠାକାର ନୂତନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ମେସିଙ୍କ ବହୁଚର୍ଚ୍ଚିତ ଭାରତ ଗସ୍ତ ସମୟରେ ଏହି ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ଏଥିପାଇଁ କାରିଗରମାନଙ୍କୁ ପ୍ରାୟ ୨୭ ଦିନ ସମୟ ଲାଗିଥିଲା। ତେବେ ମୂର୍ତ୍ତିର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସାମାନ୍ୟ ପବନ ହେଲେ ମଧ୍ୟ ଏହି ବିଶାଳ ମୂର୍ତ୍ତିଟି ଦୋହଲୁଥିବାରୁ, କୋଲକାତା ମହାନଗର ନିଗମ (KMC) ଏହାକୁ ବିପଦପୂର୍ଣ୍ଣ ଶ୍ରେଣୀଭୁକ୍ତ କରିଥିଲା। ଏହି ମୂର୍ତ୍ତି ଯୋଗୁଁ ଯେକୌଣସି ସମୟରେ ବଡ଼ ଦୁର୍ଘଟଣା ଘଟିବା ଆଶଙ୍କା କରି ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଲୋକଙ୍କ ଅଭିଯୋଗକୁ ଆଧାର କରି ଗତ ସୋମବାର ଆନୁଷ୍ଠାନିକ ଭାବେ ଏହାକୁ ଭାଙ୍ଗି ଦିଆଯାଇଛି। ଫୁଟବଲ ପ୍ରେମୀଙ୍କ ବିରୋଧ ଓ ଉତ୍ତେଜନା ଆଶଙ୍କା କରି ମୂର୍ତ୍ତି ଭଙ୍ଗାଯିବା ସମୟରେ ଘଟଣାସ୍ଥଳରେ ପ୍ରାୟ ୫,୦୦୦ ପୁଲିସ କର୍ମୀଙ୍କୁ ମୁତୟନ କରାଯାଇଥିଲା।




