ବିଜେଡି ଛାଡ଼ିଲେ ଦେବାଶିଷ ସାମନ୍ତରାୟ: ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଦେଲେ ଇସ୍ତଫା


ଭୁବନେଶ୍ୱର: ବିଜେଡିରେ ପୁଣି ଏକ ବଡ଼ ରାଜନୈତିକ କମ୍ପନ ସୃଷ୍ଟି ହୋଇଛି। ପୂର୍ବତନ ସାଂସଦ ସୁଜିତ କୁମାର ଓ ମମତା ମହନ୍ତଙ୍କ ପରେ ଏବେ ବିଜେଡିର ବରିଷ୍ଠ ନେତା ତଥା ୩ ଥରର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଦଳରୁ ଇସ୍ତଫା ଦେଇଛନ୍ତି। ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଉଭୟ ଦଳର ପ୍ରାଥମିକ ସଦସ୍ୟ ଏବଂ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିବା ବେଳେ, ସାଂସଦ ପଦରୁ ଇସ୍ତଫା ପତ୍ର ରାଜ୍ୟସଭା ଉପାଧ୍ୟକ୍ଷ ସି.ପି. ରାଧାକୃଷ୍ଣନଙ୍କ ନିକଟକୁ ପ୍ରେରଣ କରିଛନ୍ତି। ଦଳରେ ଦୀର୍ଘ ଦିନ ଧରି ଅବହେଳା କରାଯାଉଥିବା ନେଇ ଦେବାଶିଷ ଅଭିଯୋଗ ଆଣିଛନ୍ତି। “ଦଳ ବୋଧହୁଏ ମୋର ସେବା ଆଉ ଚାହୁଁନାହିଁ, ଏହା ଅନୁଭବ କରି ମୁଁ ଦଳ ଛାଡ଼ିଲି” ବୋଲି ସେ ନିଜ ଚିଠିରେ ଦର୍ଶାଇଛନ୍ତି। ଏଥିସହିତ ପୂର୍ବରୁ ତାଙ୍କୁ ରାଜ୍ୟସଭା ଓ ଦଳର ବିଭିନ୍ନ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ସେ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ସୂଚନାଯୋଗ୍ୟ, ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ଏକଦା ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। ମାତ୍ର ବିଗତ କିଛି ଦିନ ହେବ ସେ ଦଳୀୟ କାର୍ଯ୍ୟକଳାପକୁ ନେଇ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା, ଯାହା ଆଜି ସତ ପ୍ରମାଣିତ ହୋଇଛି।




