କାଳ ସାଜିଲା କାଳବୈଶାଖୀ: ଟେଣ୍ଟ ହାଉସ ଭାଙ୍ଗି ଚାପି ହୋଇଗଲେ ୩ ଶ୍ରମିକ, ବଜ୍ରପାତରେ ଆଉ ଜଣେ ମୃତ


ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀର ତାଣ୍ଡବ । କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଝଡ଼-ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁଁ ଅଘଟଣ ଘଟି ୪ ଜଣଙ୍କ ଜୀବନ ଯାଇଛି । ଶୋଇଥିବା ଅବସ୍ଥାରେ ଟେଣ୍ଟ ହାଉସର ଲୁହା ଭାଡ଼ି ଭାଙ୍ଗି ପଡ଼ିବାରୁ କେନ୍ଦୁଝରରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଯାଜପୁରରେ ବଜ୍ରପାତର ଶିକାର ହୋଇ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଅଚାନକ କାଳବୈଶାଖୀ ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ଜୋରଦାର ବର୍ଷା ହୋଇଥିଲା । କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୁରଠାରେ ଏକ ଟେଣ୍ଟ ହାଉସର ଲୁହା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷପତ୍ର ଏକ ଲୁହା ଭାଡ଼ି ଉପରେ ରଖାଯାଇଥିଲା । ସେହି ସମୟରେ ଏହାରି ତଳେ ୪ ଜଣ ଶ୍ରମିକ ଶୋଇଥିଲେ । କାଳବୈଶାଖୀର ତୀବ୍ର ପବନ ଯୋଗୁଁ ହଠାତ୍ ସେହି ଭାରି ଲୁହା ଭାଡ଼ିଟି ଶ୍ରମିକମାନଙ୍କ ଉପରେ ଭାଙ୍ଗି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କର ଚାପି ହୋଇ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି କେନ୍ଦୁଝରର ହରିଡାଗୋଠ ଅଞ୍ଚଳରେ ମଧ୍ୟ କାଳବୈଶାଖୀ ଯୋଗୁଁ ଏକ ଘର ଭାଙ୍ଗିଯିବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ, ଯାଜପୁର ଜିଲ୍ଲାରେ ମଧ୍ୟ କାଳବୈଶାଖୀ ପ୍ରଳୟ ରଚିଛି । ଝଡ଼-ବର୍ଷା ସମୟରେ ଅକାଳ ବଜ୍ରପାତ ଯୋଗୁଁ ଜଣେ ସ୍ଥାନୀୟ ଯୁବକଙ୍କର ମୃତ୍ୟୁ ଘଟିଛି । ଏହି ଦୁଇଟି ଯାକ ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି ।



