Uncategorized

ଓଡ଼ିଶାରେ ଅଗ୍ନିବର୍ଷା: ୪୬ ଡିଗ୍ରି ସହ ଝାରସୁଗୁଡ଼ା ସବୁଠୁ ତାତିଲା ସହର, ଅସ୍ତବ୍ୟସ୍ତ ଜନଜୀବନ

ଭୁବନେଶ୍ଵର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପ୍ରଚଣ୍ଡ ତାତିରେ ସନ୍ତୁଳି ହେଉଛି ପଶ୍ଚିମ ଓଡ଼ିଶା। ଆଜି ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ପଶ୍ଚିମ ଭାଗରେ ଅସହ୍ୟ ଗରମ ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି ଝାରସୁଗୁଡ଼ା ସହରରେ ଆଜି ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ୪୬ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଏହା ସହିତ ଝାରସୁଗୁଡ଼ା ଆଜି ପୂର୍ବ ଭାରତର ସବୁଠାରୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି। ପଶ୍ଚିମ ଓଡ଼ିଶାର ଅନ୍ୟ ପ୍ରମୁଖ ସହରଗୁଡ଼ିକ ମଧ୍ୟ ପ୍ରବଳ ଖରାରେ ସେକି ହେଉଛନ୍ତି। ଆଜି ସମ୍ବଲପୁରରେ ୪୫.୩ ଡିଗ୍ରି, ସୋନପୁରରେ ୪୩.୯ ଡିଗ୍ରି, ବରଗଡ଼ରେ ୪୩.୮ ଡିଗ୍ରି ଏବଂ ଟିଟିଲାଗଡ଼ରେ ୪୩.୫ ଡିଗ୍ରି ତାପମାତ୍ରା ରହିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ମଝିରେ ମଝିରେ କାଳବୈଶାଖୀ ଜନିତ ବର୍ଷା ଓ କୋହଲା ପାଗ ଯୋଗୁଁ ଲୋକଙ୍କୁ ତାତିରୁ ସାମାନ୍ୟ ଆଶ୍ଵସ୍ତି ମିଳିଥିଲା। ହେଲେ ଗତ ୪ ଦିନ ହେଲା ପାରଦ ଦ୍ରୁତ ଗତିରେ ଉପରକୁ ଚଢ଼ିବାରେ ଲାଗିଛି। ବିଶେଷ କରି ଝାରସୁଗୁଡ଼ାରେ ଗତକାଲି ତାପମାତ୍ରା ୪୪.୬ ଡିଗ୍ରି ଥିବା ବେଳେ ଆଜି ତାହା ସିଧାସଳଖ ୪୬ ଡିଗ୍ରି ଛୁଇଁଛି। ଆଗକୁ ଗରମ ଆହୁରି ବଢ଼ିବା ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Related Articles

Back to top button