ତିନି ରଥର ୧୮ ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି

ଭୁବନେଶ୍ୱର,ତିନିରଥର ମୋଟ ୨୧ଟି ଅଖ ମଧ୍ୟରୁ ଚକ ଡେରା ନୀତି ପାଇଁ ତିନିଟି ଅନୁକୂଳ ଅଖ ନିର୍ମାଣ ଶେଷ ହୋଇଥିଲା। ବାକି ତିନି ରଥର ୧୮ ଅଖର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବାହ୍ଣରେ ତିନିରଥର, ମୁଖ୍ୟ ମହାରଣା ସମେତ ସାଥୀ ମହାରଣା ବାକି ଅଖଗୁଡ଼ିକର ଉଭୟ ପାର୍ଶ୍ବ ବାରିସିରେ, ହାଣି ଚଉପଟ ପରେ ଗୋଲେଇ କାର୍ଯ୍ୟ ଜାରି ରଖିଛନ୍ତି। ରଥ ନିର୍ମାଣ ତଦାରଖ କମିଟି ପ୍ରତିନିଧି ଦଳ ରଥଖଳା ବୁଲି ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ତିନିରଥର ଅଖଗୁଡ଼ିକୁ ଅନୁଧ୍ୟାନ କରି ଅଖ ନିର୍ମାଣ ପାଇଁ ରହିଥିବା କାଠର ଉଭୟ ପାର୍ଶ୍ବର ଗଣ୍ଠି ତଥା ଗର୍ତ୍ତ ଥିବା ଅଖ କାଠକୁ ପରିବର୍ତ୍ତନ କରିବାକୁ ପରାମର୍ଶ ଦେଇଛନ୍ତି। ବୁଧବାର ପୂର୍ବାହ୍ଣରେ ତିନିରଥର, ୧୨ଟି ଲେଖାଏଁ ଚଉପଟ ଭୂଇଁ ଚଉତାର ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ସାଥୀ ମହାରଣା ସେବକ ଭୂଇଁ ଚଉତାରେ ୪ଟି ଲେଖାଏଁ ପାଖୁଡ଼ା ବିନ୍ଧ ସହ ଦୁଇ ପାର୍ଶ୍ବରେ ଗୋଟିଏ ଗୋଟିଏ ଖମ୍ବି ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି। ତିନିରଥର ୪୨ଟି ଚକ ନିର୍ମାଣ ଶେଷ ପରେ ଅଖ କାର୍ଯ୍ୟ ଆରମ୍ଭ ହୋଇଛି। ପାର୍ଶ୍ବଦଣ୍ଡା, ପାଞ୍ଚ ଦଣ୍ଡାର ଆଗ ଏବଂ ପଛରେ ଗରଗରା ପଡ଼ି ଉଠିବ ଚାରି ନାହାକା। ଚାରି ନାହାକାର ଚତୁଃପାର୍ଶ୍ବରେ ଚଉଦ ନାହାକା ଉଠିବ। ପରେ, ତିନି ରଥର ଭୂଇଁ ସ୍ଥାପନ ହେବ।




