ଚୀନ୍ରେ ବାଣ କାରଖାନା ବିସ୍ଫୋରଣ: ୨୧ ମୃତ, ୬୧ ଗୁରୁତର


ନୂଆଦିଲ୍ଲୀ: ଚୀନ୍ର ଲିଉୟାଙ୍ଗ ସହରରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୨୧ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁଆଣ୍ଡୁ ଟାଉନସିପ୍ ସ୍ଥିତ ‘ଲିଉୟାଙ୍ଗ ହୁଆଶେଙ୍ଗ’ ବାଣ କାରଖାନାରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ କାରଖାନାର ଏକ ବଡ଼ ଅଂଶ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହି ଘଟଣାରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଗଭୀର ଶୋକ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସେ କର୍ତ୍ତୃପକ୍ଷଙ୍କୁ କହିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ଲି କ୍ୱିଆଙ୍ଗ ମଧ୍ୟ ଏଭଳି ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପାଇଁ ବିପଜ୍ଜନକ ଶିଳ୍ପ କ୍ଷେତ୍ରଗୁଡ଼ିକରେ ସୁରକ୍ଷା ନିୟମାବଳୀକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଗୁରୁତ୍ୱ ଦେଇଛନ୍ତି।



