ସୁଭଦ୍ରା ଯୋଜନାରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିଲା ଟଙ୍କା


ଭୁବନେଶ୍ୱର: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଖୁସି ଖବର। ସୁଭଦ୍ରା ଯୋଜନାରେ ପୂର୍ବରୁ ବୈଷୟିକ କିମ୍ବା ଅନ୍ୟାନ୍ୟ କାରଣରୁ ଟଙ୍କା ପାଇବାରୁ ବଞ୍ଚିତ ଥିବା ହିତାଧିକାରୀଙ୍କ ପାଇଁ ଅର୍ଥରାଶି ଜାରି କରାଯାଇଛି। ପ୍ରଥମ, ଦ୍ୱିତୀୟ ଓ ତୃତୀୟ କିସ୍ତିରୁ ବାଦ୍ ପଡ଼ିଥିବା ପ୍ରାୟ ୧ ଲକ୍ଷ ୨୩ ହଜାର ୮୪୯ ଜଣ ମହିଳାଙ୍କ ବ୍ୟାଙ୍କ ଖାତାକୁ ଆଜି ସିଧାସଳଖ ସୁଭଦ୍ରା ଅର୍ଥ ପଠାଯାଇଛି। ଏହି ପର୍ଯ୍ୟାୟରେ ମୋଟ ୧.୨୩ ଲକ୍ଷରୁ ଅଧିକ ମହିଳା ଉପକୃତ ହୋଇଛନ୍ତି, ଯେଉଁଥିରେ ପୂର୍ବରୁ ବାଦ୍ ପଡ଼ିଥିବା ୭୯ ହଜାର ମହିଳା ମଧ୍ୟ ସାମିଲ ଅଛନ୍ତି। ସରକାରଙ୍କ ପକ୍ଷରୁ ପ୍ରାୟ ୬୨ କୋଟି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ (DBT ମାଧ୍ୟମରେ) ହସ୍ତାନ୍ତର କରାଯାଇଛି। ଆଉ ପ୍ରାୟ ୧ ଲକ୍ଷ ଆବେଦନକାରୀଙ୍କ କ୍ଷେତ୍ରସ୍ତରୀୟ ଯାଞ୍ଚ ବା ‘ଫିଲ୍ଡ ଭେରିଫିକେସନ’ ଚାଲିଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରାଯିବ। ବର୍ତ୍ତମାନ ସୁଦ୍ଧା ଆହୁରି ୩ ଲକ୍ଷ ୨୬ ହଜାର ନୂତନ ଆବେଦନ ମିଳିଛି, ଯାହାର ଯାଞ୍ଚ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି।




