ଓଡ଼ିଶାରାଜନୀତି

ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

'ଓଡ଼ିଶାରେ ମହିଳାଙ୍କ ସମ୍ମାନ ଭୂଲୁଣ୍ଠିତ, ସରକାର ସମ୍ବେଦନହୀନ'

ଭୁବନେଶ୍ୱର: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଶାସକ ବିଜେପି ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌ ଏବଂ ସୀମା ନିର୍ଦ୍ଧାରଣ (Delimitation) ପ୍ରସଙ୍ଗରେ ଆଲୋଚନା ଚାଲିଥିବା ବେଳେ ରାଜ୍ୟରେ ମହିଳା ସୁରକ୍ଷା ଓ ପ୍ରଶାସନିକ ବିଫଳତାକୁ ନେଇ ସେ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି। ଗୃହକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେନ୍ଦୁଝରରେ ଟଙ୍କା ପାଇଁ ଜଣେ ଭାଇକୁ ନିଜ ମୃତ ଭଉଣୀର କଙ୍କାଳ ଖୋଳି ବ୍ୟାଙ୍କକୁ ଆଣିବାକୁ ପଡ଼ିବା ଘଟଣାକୁ ସେ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି। “ଜଣେ ମହିଳାଙ୍କ ମୃତ୍ୟୁର ପ୍ରମାଣ ପାଇଁ ପରିବାରକୁ ଏଭଳି ଅମାନୁଷିକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବା ପ୍ରଶାସନର ଶୂନ୍ୟ ଉତ୍ତରଦାୟିତ୍ୱ ଏବଂ ସରକାରଙ୍କ ସମ୍ବେଦନହୀନତାର ଚରମ ସୀମା,” ବୋଲି ସେ ପ୍ରକାଶ କରିଛନ୍ତି। ଏହି ଘଟଣା ଯୋଗୁଁ ଓଡ଼ିଶା ଆଜି ବିଶ୍ୱ ଦରବାରରେ ନିନ୍ଦିତ ହେଉଛି ବୋଲି ନବୀନ କହିଛନ୍ତି। ବିବିସି ଓ ନ୍ୟୁୟର୍କ ପୋଷ୍ଟ ଭଳି ଆନ୍ତର୍ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ସହ ଆମେରିକା ପକ୍ଷରୁ ନିଜ ନାଗରିକଙ୍କ ପାଇଁ ଜାରି ହୋଇଥିବା ଆଡଭାଇଜରି ରାଜ୍ୟ ପାଇଁ ଦୁର୍ଭାଗ୍ୟଜନକ ବୋଲି ସେ ଦର୍ଶାଇଛନ୍ତି। ବିଜେପି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ମହିଳା ସଶକ୍ତିକରଣ ନାମରେ ସରକାର କେବଳ ପ୍ରଚାର ଓ ‘ଅପ୍‌ଟିକ୍ସ’ରେ ବ୍ୟସ୍ତ ଅଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଏଭଳି ଘଟଣା ଘଟିବା ସ୍ୱାଭିମାନୀ ଓଡ଼ିଶା ପାଇଁ ଏକ କଳଙ୍କ। ସରକାର ପ୍ରକୃତ ସେବା ପ୍ରଦାନ କରିବା ପରିବର୍ତ୍ତେ କେବଳ ମିଥ୍ୟା ନାରେଟିଭ୍ ପ୍ରସ୍ତୁତ କରୁଛନ୍ତି ବୋଲି ସେ ଗୃହରେ ଅଭିଯୋଗ କରିଛନ୍ତି।

Related Articles

Back to top button