Uncategorized

ରାଜ୍ୟରେ କାଳବୈଶାଖୀ ସମ୍ଭାବନା; ୨୮ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନେକ ସ୍ଥାନରେ ପାରଦ ୪୫ ଡିଗ୍ରୀ ନିକଟତର ହୋଇଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ଆଶ୍ୱସ୍ତିକର ଖବର ମିଳିଛି। ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପାଗ ବଦଳିବା ସହ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଝାରସୁଗୁଡ଼ା ଲଗାତାର ୩ ଦିନ ଧରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି। ଶୁକ୍ରବାର ଏଠାରେ ସର୍ବାଧିକ ତାପମାତ୍ରା ୪୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟର ପ୍ରାୟ ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଛି। ୨୬ ତାରିଖରୁ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ହେବା ଫଳରେ ତାପମାତ୍ରା ପ୍ରାୟ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ଅଛି। ଶନିବାର ପାଇଁ ଖୋର୍ଦ୍ଧା, ପୁରୀ, କଟକ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ସମେତ ୧୩ଟି ଜିଲ୍ଲାକୁ ପ୍ରବଳ ଗରମ ଓ ଗୁଳୁଗୁଳି ପାଇଁ ‘ୟେଲୋ ୱାର୍ଣ୍ଣିଂ’ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ଏପ୍ରିଲ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

Related Articles

Back to top button