ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର: ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ରାଜ୍ୟବ୍ୟାପୀ ତାଙ୍କୁ ସ୍ମରଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭା ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଉପସ୍ଥିତ ଥିଲେ ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହା ସହ ଅନ୍ୟ ସରକାରୀ ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ବିଜୁ ବାବୁଙ୍କ ବୀରତ୍ୱ ଓ ଓଡ଼ିଶାର ବିକାଶ ପ୍ରତି ତାଙ୍କର ଅତୁଳନୀୟ ଅବଦାନକୁ ଏହି ଅବସରରେ ବଖାଣିଥିଲେ ମୁଖ୍ୟମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମଠାରୁ ଆରମ୍ଭ କରି ଆଧୁନିକ ଓଡ଼ିଶାର ଗଠନ ପର୍ଯ୍ୟନ୍ତ ବିଜୁ ବାବୁଙ୍କ ସାହସିକତା କେବଳ ଓଡ଼ିଶା ବା ଭାରତରେ ନୁହେଁ, ବରଂ ବିଶ୍ୱ ଦରବାରରେ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଛି। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଭା-ସମିତି ଓ ରକ୍ତଦାନ ଶିବିର ପରି ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବିଜୁ ବାବୁଙ୍କ ଆଦର୍ଶକୁ ସ୍ମରଣ କରାଯାଉଛି।




