ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ପର୍ଦ୍ଦାଫାଶ:ଯାଜପୁରରୁ ୩ ଅଭିଯୁକ୍ତ ଗିରଫ


ଭୁବନେଶ୍ବର: ସୋସିଆଲ ମିଡିଆ ପ୍ରେମରୁ ସର୍ବନାଶ । ପ୍ରେମ ଜାଲରେ ଫସାଇ କଟକର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ପୁରୀରେ ଦୁଷ୍କର୍ମ କରାଯାଇଥିବା ଭଳି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଗତ ନଭେମ୍ବର ମାସରେ ଘଟିଥିବା ଏହି ଚାଞ୍ଚଲ୍ୟକର ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଯାଜପୁର ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଜଣେ ଏବେ ମଧ୍ୟ ଫେରାର ଅଛି । ଗିରଫ ଅଭିଯୁକ୍ତମାନେ ହେଲେ ସତ୍ୟବ୍ରତ ପରିଡା, ସୌମ୍ୟ ରଞ୍ଜନ ପରିଡା ଏବଂ କୈଳାସ ଚନ୍ଦ୍ର ବେହେରା । ସମସ୍ତଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଅପରାଧରେ ବ୍ୟବହୃତ ମୋବାଇଲ୍ ଫୋନ୍ ଏବଂ ଏକ ମୋଟର ସାଇକେଲ୍ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁସାରେ, ଅଭିଯୁକ୍ତମାନେ ସୋସିଆଲ ମିଡିଆ ମାଧ୍ୟମରେ ନାବାଳିକାଙ୍କ ସହ ସମ୍ପର୍କ ବଢ଼ାଇଥିଲେ । ଏହାପରେ ତାଙ୍କୁ ପୁରୀ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ମାମଲାର ତଦନ୍ତ କରି ଆଜି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।




