ଓଡ଼ିଶାରାଜନୀତି

ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଫଟୋ ପ୍ରଦର୍ଶନୀ ଓ ‘ଧନ୍ୟବାଦ ମୋଦିଜୀ’ ଦସ୍ତଖତ ଅଭିଯାନ

ଭୁବନେଶ୍ୱର, ୧୩/୦୪/୨୦୨୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକଶିତ ଭାରତର ସ୍ୱପ୍ନ ସାକାର ହେବାକୁ ଯାଉଥିବା ବେଳେ ଏହି ପ୍ରକ୍ରିୟାରେ ମହିଳାମାନଙ୍କ ଭାଗିଦାରୀକୁ ସୁନିଶ୍ଚିତ କରିବା ପାଇଁ ଆସୁଥିବା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ଓଡ଼ିଶାରେ ବ୍ୟାପକ ସମର୍ଥନ ମିଳିଛି। ଏହି ଅଧିନିୟମ ଦ୍ୱାରା ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିବ, ଯାହା ଭାରତ ଇତିହାସରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି।

ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଧାନମନ୍ତ୍ରୀ ଏହି ଅଧିନିୟମ ଉପରେ ଦେଇଥିବା ଅଭିଭାଷଣକୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା, ସାମାଜିକ କର୍ମୀ, ଶିକ୍ଷାବିତ୍ ଓ ଛାତ୍ରୀମାନେ ସିଧା ପ୍ରସାରଣ ମାଧ୍ୟମରେ ଶୁଣିଥିଲେ। ଏହି ଅଧିନିୟମକୁ ସମର୍ଥନ ଜଣାଇବା ପାଇଁ ମହିଳାମାନେ ଏକ ସ୍ୱତନ୍ତ୍ର ନମ୍ବରରେ (9667173333) ମିସ୍ କଲ୍ କରିବା ସହ ସଂସଦର ଆଗାମୀ ସ୍ୱତନ୍ତ୍ର ଅଧିବେଶନ (ଏପ୍ରିଲ ୧୬ରୁ ୧୮) ପାଇଁ ନିଜର ଶୁଭେଚ୍ଛା ଜଣାଇଥିଲେ।

ଏହି ଅବସରରେ ବିଜେପି ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ମହିଳା କଲ୍ୟାଣକାରୀ ଯୋଜନା ଯଥା- ସୁଭଦ୍ରା ଯୋଜନା, ମମତା ଯୋଜନା, ଲକ୍ଷପତି ଦିଦି, ଉଜ୍ଜ୍ୱଳା, ମିଶନ ଶକ୍ତି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦିର ସଫଳତା ସମ୍ପର୍କିତ ଏକ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିସହିତ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିୟସୀ ମହିଳାମାନଙ୍କୁ ମଧ୍ୟ ଏହି ପ୍ରଦର୍ଶନୀରେ ସ୍ଥାନିତ କରାଯାଇଥିଲା।

ନାରୀ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସକୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା “ଧନ୍ୟବାଦ ମୋଦିଜୀ” ଦସ୍ତଖତ ଅଭିଯାନରେ ସହସ୍ରାଧିକ ମା’ ଓ ଭଉଣୀ ସାମିଲ ହୋଇଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା (Prabhati Parida), ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡାକ୍ତର ଐଶ୍ୱର୍ଯ୍ୟା ବିଶ୍ୱାଳ ଏବଂ ବରିଷ୍ଠ ସମାଜସେବୀ ଶ୍ରୀମତୀ ସବିତା ରାଏ ପ୍ରମୁଖ ଉପସ୍ଥିତ ରହି ମହିଳାମାନଙ୍କୁ ଉତ୍ସାହିତ କରିଥିଲେ।

Related Articles

Back to top button