
ଭୁବନେଶ୍ୱର, ୧୩/୦୪/୨୦୨୬: ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସାଂସଦ ମାନସ ମଙ୍ଗରାଜଙ୍କୁ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ଏବଂ ଶ୍ରୀମତୀ ସୁଲତା ଦେଓଙ୍କୁ ଉପନେତା ତଥା ମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିବା ପରେ ଆଜି ଶଙ୍ଖ ଭବନରେ ଉଭୟ ନେତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦଳର ସଭାପତିଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଉଭୟ ନେତା ତାଙ୍କ ଉପରେ ରଖାଯାଇଥିବା ଆସ୍ଥା ପାଇଁ ଗଭୀର କୃତଜ୍ଞତା ଜଣାଇଛନ୍ତି।
ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସଂସଦୀୟ ଦଳର ନୂତନ ନେତା ମାନସ ମଙ୍ଗରାଜ କହିଛନ୍ତି ଯେ, ଦଳ ମୋ ଉପରେ ଯେଉଁ ଗୁରୁ ଦାୟିତ୍ୱ ନ୍ୟସ୍ତ କରିଛି, ସେଥିପାଇଁ ମୁଁ ସଭାପତିଙ୍କ ସମେତ ସମସ୍ତ ନେତୃମଣ୍ଡଳୀ ଓ କର୍ମୀଙ୍କ ପାଖରେ ଋଣୀ। ସଂସଦରେ ବିଜେଡି ସାଂସଦମାନଙ୍କର ଶୃଙ୍ଖଳିତ ପ୍ରଦର୍ଶନ ସବୁବେଳେ ଆଦୃତ ହୋଇଛି। ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ହିତ ଓ ହକ୍ ପାଇଁ ସଂସଦରେ ବିଜେଡିର ସ୍ୱର ପୂର୍ବଭଳି ଶାଣିତ ରହିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସେହିଭଳି ସଂସଦୀୟ ଦଳର ଉପନେତା ତଥା ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ପାଇଥିବା ସୁଲତା ଦେଓ କହିଛନ୍ତି ଯେ, ଦଳର ଜଣେ ନିଷ୍ଠାପର ସୈନିକ ଭାବେ ସଭାପତି ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାହାକୁ ମୁଁ ସୂଚାରୁ ରୂପେ ତୁଲାଇଛି। ଏହି ନୂତନ ଦାୟିତ୍ୱକୁ ମଧ୍ୟ ଅତ୍ୟନ୍ତ ନିଷ୍ଠାର ସହିତ ପାଳନ କରି ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଏହି ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ଅମାତ, ମିଡ଼ିଆ ସଂଯୋଜକ ଡକ୍ଟର ଲେନିନ ମହାନ୍ତି ଏବଂ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ପ୍ରମୁଖ ଉପସ୍ଥିତ ରହି ଉଭୟ ନେତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।




