ଫେଲ୍ ମାରିଲା ଇରାନ-ଆମେରିକା ଶାନ୍ତି ଆଲୋଚନା: ଯୁଦ୍ଧ ବିରତି ନେଇ ବାହାରି ପାରିଲାନି ନିଷ୍କର୍ଷ


ନୂଆଦିଲ୍ଲୀ: ଦୀର୍ଘ ଦିନର ରକ୍ତପାତ ପରେ ସମଗ୍ର ବିଶ୍ୱ ଯେଉଁ ଶାନ୍ତି ଆଶା ରଖିଥିଲା, ତାହା ଏବେ ମଉଳିବାରେ ଲାଗିଛି। ପାକିସ୍ତାନର ଇସଲାମବାଦରେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବିଫଳ ହୋଇଛି। ଆମେରିକା ପକ୍ଷରୁ ରଖାଯାଇଥିବା କେତେକ କଠୋର ସର୍ତ୍ତକୁ ଇରାନ ଗ୍ରହଣ କରିବାକୁ ମନା କରିଦେବାରୁ ଦୁଇ ଦେଶ ମଧ୍ୟରେ କୌଣସି ସହମତି ହୋଇପାରିନାହିଁ। ଫଳରେ ବିନା ନିଷ୍କର୍ଷରେ ଶାନ୍ତି ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଛି। ସୂଚନା ଅନୁଯାୟୀ, ଯୁଦ୍ଧ ବନ୍ଦ କରିବା ପାଇଁ ଇସଲାମବାଦରେ ପ୍ରାୟ ୨୧ ଘଣ୍ଟା ଧରି ମାରାଥନ୍ ଆଲୋଚନା ଜାରି ରହିଥିଲା। ହେଲେ ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଦୁଇ ଦେଶ ମଧ୍ୟରେ ମତଭେଦ ଦେଖାଦେଇଥିଲା। ଏହି ଆଲୋଚନା ବିଫଳ ହେବା ନେଇ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସମାଧାନ ପାଇଁ ଆମେରିକା ପ୍ରୟାସ କରିଥିଲେ ହେଁ ଇରାନର ଜିଦ୍ ଯୋଗୁଁ ଆଲୋଚନା ସଫଳ ହୋଇପାରିଲାନି। ପ୍ରାୟ ୪୦ ଦିନରୁ ଅଧିକ ସମୟ ଧରି ଜାରି ରହିଥିବା ଏହି ଭୟଙ୍କର ଯୁଦ୍ଧରେ ଯବନିକା ପଡ଼ିବା ନେଇ ସାରା ବିଶ୍ୱର ନଜର ଏହି ବୈଠକ ଉପରେ ରହିଥିଲା। ପାକିସ୍ତାନ ଏହି ଆଲୋଚନାରେ ମଧ୍ୟସ୍ଥି ସାଜିଥିଲେ ହେଁ, ଦୁଇ ଶକ୍ତିଶାଳୀ ଦେଶ ନିଜ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ଏହି ଆଲୋଚନା ଫେଲ୍ ହେବା ପରେ ଏବେ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଏବଂ ଯୁଦ୍ଧର ଭୟାଭୟତା ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି।




