ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ NIAର ବଡ଼ କାର୍ଯ୍ୟାନୁଷ୍ଠାନ: ୪୩ ଟିଏମସି ନେତାଙ୍କୁ ସମନ


ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ପରିବେଶ ସରଗରମ ହୋଇଛି। ନନ୍ଦିଗ୍ରାମ ହିଂସା ମାମଲାରେ ଜାତୀୟ ତଦନ୍ତ ସଂସ୍ଥା ତୃଣମୂଳ କଂଗ୍ରେସ ଉପରେ ଶକ୍ତ ଆଭିମୁଖ୍ୟ ଗ୍ରହଣ କରିଛି। ଏହି ମାମଲାରେ ସଂପୃକ୍ତି ଅଭିଯୋଗରେ NIA ପକ୍ଷରୁ ୪୩ ଜଣ ଟିଏମସି ନେତାଙ୍କୁ ନୋଟିସ ଜାରି କରାଯାଇଛି। ଆସନ୍ତା ୧୭ ଏପ୍ରିଲରେ ସମସ୍ତଙ୍କୁ ଦିଲ୍ଲୀସ୍ଥିତ NIA ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲା ପ୍ରାୟ ଦେଢ଼ ବର୍ଷ ତଳେ ଘଟିଥିବା ବୋମା ବିସ୍ଫୋରଣ ଓ ହିଂସାକାଣ୍ଡ ସହ ଜଡ଼ିତ। ଡିସେମ୍ବର ୨୦୨୪ରେ ନନ୍ଦିଗ୍ରାମ ବ୍ଲକ-୧ ଅନ୍ତର୍ଗତ କାଞ୍ଚନ ନଗର ଦିଦାରୁଦ୍ଦିନ ବିଦ୍ୟା ଭବନ ମତଦାନ କେନ୍ଦ୍ରରେ ସମବାୟ ସମିତି ନିର୍ବାଚନ ଚାଲିଥିବା ବେଳେ ବିଜେପି ଓ ଟିଏମସି ସମର୍ଥକଙ୍କ ମଧ୍ୟରେ ବଡ଼ ଧରଣର ସଂଘର୍ଷ ଘଟିଥିଲା। ଏହି ବିବାଦ ପରବର୍ତ୍ତୀ ସମୟରେ ଭୟଙ୍କର ବୋମା ବିସ୍ଫୋରଣର ରୂପ ନେଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ମାମଲାର ତଦନ୍ତ ଭାର NIAକୁ ହସ୍ତାନ୍ତର କରାଯାଇଥିଲା। NIA ପକ୍ଷରୁ ସମନ କରାଯାଇଥିବା ୪୩ ଜଣଙ୍କ ମଧ୍ୟରେ ତମଲୁକ୍ ସାଂଗଠନିକ ଜିଲ୍ଲାର ଅନେକ ହେଭିୱେଟ୍ ନେତା ରହିଛନ୍ତି। ସେମାନଙ୍କ ମଧ୍ୟରେ ଶେଖ୍ ସୁଫିଆନ୍, ଅବୁ ତାହେର ଏବଂ ଶଙ୍କୁ ନାୟକଙ୍କ ଭଳି ପ୍ରଭାବଶାଳୀ ଚେହେରା ସାମିଲ ଅଛନ୍ତି। ନିର୍ବାଚନ ମାହୋଲରେ NIAର ଏହି ପଦକ୍ଷେପ ଟିଏମସି ପାଇଁ ଅଡ଼ୁଆ ବଢ଼ାଇଥିବା ବେଳେ ରାଜ୍ୟ ରାଜନୀତିରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।




