ଆଉ ନାହାନ୍ତି କିମ୍ବଦନ୍ତୀ ଗାୟିକା ଆଶା ଭୋସ୍ଲେ


ନୂଆଦିଲ୍ଲୀ: ଭାରତୀୟ ସଙ୍ଗୀତ ଆକାଶରୁ ଆଉ ଏକ ଉଜ୍ଜ୍ୱଳ ନକ୍ଷତ୍ରର ଅସ୍ତ ଘଟିଛି। ବିଶିଷ୍ଟ କଣ୍ଠଶିଳ୍ପୀ ଆଶା ଭୋସ୍ଲେଙ୍କର ୯୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପୁତ୍ର ଆନନ୍ଦ ଭୋସ୍ଲେ ଏହି ଦୁଃଖଦ ଖବର ନେଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ହୃଦ୍ଘାତର ଶିକାର ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ଦଳଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନାହିଁ। ତାଙ୍କ ବିୟୋଗ ଖବର ପ୍ରସାରିତ ହେବା ପରେ ସମଗ୍ର ସିନେ ଜଗତ ଓ ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ ଶୋକର ଲହରି ଖେଳିଯାଇଛି। ସାତ ଦଶନ୍ଧିରୁ ଅଧିକ ସମୟ ଧରି ନିଜର ଯାଦୁକରୀ କଣ୍ଠରେ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଆଶା ଭୋସ୍ଲେଙ୍କ ନାମରେ ହଜାର ହଜାର ଗୀତ ଗାଇବାର ରେକର୍ଡ ରହିଛି। ଭାରତୀୟ ସିନେମା ଜଗତରେ ଜଣେ ପ୍ରତିଭାବାନ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ତାଙ୍କର ସ୍ଥାନ ସର୍ବଦା ସ୍ୱତନ୍ତ୍ର। ତାଙ୍କ ମୃତ୍ୟୁରେ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।




