Uncategorized

ବିହାରର କଟିହାରରେ ଭୟଙ୍କର ସଡ଼କ ଦୁର୍ଘଟଣା: ବସ୍-ପିକଅପ୍ ମୁହାଁମୁହିଁ ଧକ୍କା, ୧୦ ମୃତ

ନୂଆଦିଲ୍ଲୀ: ବିହାରର କଟିହାର ଜିଲ୍ଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ୩୧ ନମ୍ବର ଜାତୀୟ ରାଜପଥର କୋଇରା ଥାନା ଅନ୍ତର୍ଗତ ବାସଗଡ଼ା ଚୌକ ନିକଟରେ ଏକ ଯାତ୍ରୀବାହୀ ବସ୍ ଏବଂ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ସମସ୍ତେ ପୂର୍ଣ୍ଣିଆ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ପିକଅପ୍ ଭ୍ୟାନରେ କିଛି ଆଦିବାସୀ ସମ୍ପ୍ରଦାୟର ଲୋକ ଏକ ଧାର୍ମିକ ଉତ୍ସବରୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ବସ୍ ସହ ଏହାର ସଂଘର୍ଷ ଘଟିଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ପିକଅପ୍ ଭ୍ୟାନଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କିଛି ଲୋକଙ୍କର ଜୀବନ ଚାଲିଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ କୋଇରା ପୋଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Related Articles

Back to top button