ଓଡ଼ିଶାରାଜନୀତି

ଆଦିବାସୀଙ୍କ ଉପରେ ପୋଲିସର ଆକ୍ରମଣକୁ ବିଜେଡିର ତୀବ୍ର ନିନ୍ଦା

ଭୁବନେଶ୍ୱର, ୧୧/୦୪/୨୦୨୬: ରାୟଗଡ଼ା ଜିଲ୍ଲା ସିଜିମାଳି ଅଞ୍ଚଳରେ ନିରୀହ ଆଦିବାସୀମାନଙ୍କ ଉପରେ ପ୍ରଶାସନ ପକ୍ଷରୁ କରାଯାଇଥିବା ବର୍ବରୋଚିତ କାର୍ଯ୍ୟାନୁଷ୍ଠାନକୁ ବିଜୁ ଜନତା ଦଳ ତୀବ୍ର ନିନ୍ଦା କରିଛି। ଆଜି ଶଙ୍ଖ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତାମାନେ ଏହି ଘଟଣାକୁ ଅମାନବୀୟ ବୋଲି ବର୍ଣ୍ଣନା କରିବା ସହ ଆଦିବାସୀମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଶ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳ ପରିଦର୍ଶନ କରି ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ ମତ ଅନୁଯାୟୀ, ମାଇନ୍ସ କମ୍ପାନୀ ଦ୍ୱାରା ନିର୍ମିତ ହେଉଥିବା ରାସ୍ତାକୁ ବିରୋଧ କରି ସେମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ବେଳେ ପ୍ରଶାସନ ସେମାନଙ୍କ ଉପରେ ଅତ୍ୟାଚାର ଓ ଜୁଲୁମ କରିଛି। ସ୍ଥାନୀୟ ଆଦିବାସୀଙ୍କୁ ଅଣଦେଖା କରି ଏବଂ ସେମାନଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରି ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରାଯାଇପାରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।

କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ଝିନ୍ନ ହିକକା ଅଭିଯୋଗ କରିଛନ୍ତି ଯେ, ସିଜିମାଳିରେ ପେସା ଆଇନ ଏବଂ ଜଙ୍ଗଲ ଆଇନର ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି। ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ସମୟରେ ବିଜୁଳି କାଟି ଦେଇ ପୋଲିସ ଯେଭଳି ଭାବେ ଆଦିବାସୀ ଭାଇଭଉଣୀଙ୍କ ଉପରେ ଆକ୍ରମଣ କଲା, ତାହା ବିଜେପି ସରକାରଙ୍କ ଆଦିବାସୀ ବିରୋଧୀ ମନୋଭାବକୁ ଦର୍ଶାଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦେଶର ରାଷ୍ଟ୍ରପତି ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ଏଭଳି ବର୍ବରତା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହି ଘଟଣାରେ ତୁରନ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଆଦିବାସୀଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ବିଜୁ ଜନତା ଦଳ ଦାବି କରିଛି। ଏହି ସମ୍ମିଳନୀରେ ଗଣମାଧ୍ୟମ ସଂଯୋଜକ ଡକ୍ଟର ପ୍ରିୟବ୍ରତ ମାଝୀ ମଧ୍ୟ ଉପସ୍ଥିତ ଥିଲେ।

Related Articles

Back to top button