ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ


ଭୁବନେଶ୍ବର: ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ଅଳଙ୍କାର ଗଣତି ଓ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ, ୧୯୭୮ ମସିହାର ତାଲିକା ଅପେକ୍ଷା ଏଥର ଅଧିକ ସଂଖ୍ୟକ ଅଳଙ୍କାର ମିଳିଛି। ସେବକମାନଙ୍କ ଦ୍ୱାରା ଗଣତି କରାଯାଇଥିବା ଏହି ସମସ୍ତ ଅଳଙ୍କାରକୁ ୨୦୨୬ ମସିହାର ନୂତନ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଆସନ୍ତା ସୋମବାରଠାରୁ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପଟେ, ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ ଗଣତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ଥିବା ୧୧୮ ପ୍ରକାରର ଅଳଙ୍କାର ସଂଖ୍ୟା ବୃଦ୍ଧି ପାଇ ଏବେ ୧୪୭ରେ ପହଞ୍ଚିଛି। ତେବେ ବାହାର ଭଣ୍ଡାରର ୨ଟି ଅଳଙ୍କାର ମିଳୁ ନଥିବା ସେ ପ୍ରକାଶ କରିଛନ୍ତି। ଏହି ଅଳଙ୍କାରଗୁଡ଼ିକ ଭିତର ଭଣ୍ଡାରରେ ଥାଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ ଭିତର ଭଣ୍ଡାର ଗଣତି ସମୟରେ ହିଁ ପ୍ରକୃତ ସ୍ଥିତି ଜଣାପଡ଼ିବ। ଏଥିସହିତ ଗଣତି ବେଳେ କିଛି ଦୁର୍ଲଭ ରତ୍ନ ଚିହ୍ନଟ କରିବାରେ ରତ୍ନ ବିଶାରଦମାନେ ଅସମର୍ଥ ହୋଇଥିବା ଜଷ୍ଟିସ୍ ରଥ ସୂଚନା ଦେଇଛନ୍ତି।




