Uncategorized

ରାଜ୍ୟରେ ପୁଣି ତେଜିଲା ମେଟ୍ରୋ ରାଜନୀତି: ପ୍ରକଳ୍ପ ବନ୍ଦ ନିଷ୍ପତ୍ତିର ପୁନଃବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ ମେଟ୍ରୋ ପ୍ରକଳ୍ପକୁ ନେଇ ପୁଣିଥରେ ରାଜନୀତି ସରଗରମ ହୋଇଛି। ପ୍ରକଳ୍ପଟିକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିର ପୁନଃବିଚାର କରିବାକୁ ଅନୁରୋଧ କରି ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଜନସଂଖ୍ୟା ବୃଦ୍ଧି ଏବଂ ସହରର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ଅତ୍ୟନ୍ତ ଜରୁରୀ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସାଂସଦ ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ଯେ, କେତେକ ପ୍ରକଳ୍ପ କେବଳ ଲାଭ ପାଇଁ ନୁହେଁ ବରଂ ଜନସାଧାରଣଙ୍କ ସୁବିଧା ଓ ହିତ ପାଇଁ କାର୍ଯ୍ୟକାରୀ କରାଯାଏ। ‘ବିକଶିତ ଓଡ଼ିଶା’ର ସ୍ୱପ୍ନ ସାକାର କରିବା ଦିଗରେ ମେଟ୍ରୋ ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସୂଚନାଯୋଗ୍ୟ ଯେ, ପୂର୍ବରୁ ସାଂସଦ ସସ୍ମିତ ପାତ୍ର ମଧ୍ୟ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ। ଅନ୍ୟପଟେ, ଏହି ପ୍ରକଳ୍ପରୁ ଆଶାଜନକ ଲାଭ ମିଳିବ ନାହିଁ ଏବଂ ପର୍ଯ୍ୟାପ୍ତ ଯାତ୍ରୀ ହେବେ ନାହିଁ ବୋଲି ଦର୍ଶାଇ ରାଜ୍ୟ କ୍ୟାବିନେଟ୍‌ ଏହାକୁ ବନ୍ଦ କରିବା ପ୍ରସ୍ତାବ ଉପରେ ମୋହର ଲଗାଇଥିଲେ। ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ବିଜେଡି ତୀବ୍ର ସମାଲୋଚନା କରିଆସୁଛି। ଉଲ୍ଲେଖଯୋଗ୍ୟ ଯେ, ବିଜେଡି ସରକାର ସମୟରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬ କିମି ରାସ୍ତାରେ ଏଲିଭେଟେଡ୍ କରିଡର ଜରିଆରେ ମେଟ୍ରୋ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏପରିକି ବିଭିନ୍ନ ସଂସ୍ଥାକୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ ମଧ୍ୟ ଆବଣ୍ଟନ କରାଯାଇଥିଲା। ମାତ୍ର ବର୍ତ୍ତମାନ ସରକାରଙ୍କ ବନ୍ଦ ନିଷ୍ପତ୍ତି ପରେ ଏହାକୁ ନେଇ ଚର୍ଚ୍ଚା ଓ ରାଜନୀତି ଜୋର ଧରିଛି।

Related Articles

Back to top button