ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଐତିହାସିକ ରାୟ: ଦୋଷୀକୁ ଫାଶୀ ଦଣ୍ଡାଦେଶ


ଭୁବନେଶ୍ବର: ଜଣେ ୪ ବର୍ଷର ନାବାଳିକାକୁ ଅପହରଣ, ଦୁଷ୍କର୍ମ ଓ ପରେ ଅତି ନିର୍ମମ ଭାବେ ହତ୍ୟା କରିବା ମାମଲାରେ ଅନୁଗୋଳ ସ୍ୱତନ୍ତ୍ର ପକ୍ସୋ (POCSO) କୋର୍ଟ ଆଜି ଏକ ଐତିହାସିକ ରାୟ ଶୁଣାଇଛନ୍ତି। ଦୋଷୀ ବାବୁଲା ଜେନାକୁ ମୃତ୍ୟୁଦଣ୍ଡ ବା ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି ବିଚାରପତି ସୌମ୍ୟା ପ୍ରିୟଦର୍ଶିନୀ। ଏହି ମାମଲାରେ ପୋଲିସ ମାତ୍ର ମାସକ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଥିବା ବେଳେ ଫାଷ୍ଟ-ଟ୍ରାକ୍ କୋର୍ଟରେ ମାତ୍ର ବର୍ଷକ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହୋଇଛି। ଭାରତୀୟ ନ୍ୟାୟ ସଂହିତା ଆଧାରରେ ୩୨ ଜଣ ସାକ୍ଷୀଙ୍କ ବୟାନ ଏବଂ ବଳିଷ୍ଠ ପାରିପାର୍ଶ୍ୱିକ ପ୍ରମାଣକୁ ଭିତ୍ତି କରି କୋର୍ଟ ଏହି କଠୋର ଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଗାଁ ଦାଣ୍ଡରୁ ଜଣେ ୪ ବର୍ଷ ୧୦ ମାସର ନାବାଳିକାକୁ ଅପହରଣ କରାଯାଇ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ରାୟ ପ୍ରକାଶ ପାଇବା ପରେ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ନ୍ୟାୟପାଳିକାକୁ ଧନ୍ୟବାଦ ଜଣାଇବା ସହ ଏହା ସମାଜରେ ଅପରାଧୀଙ୍କ ପାଇଁ ଏକ ଶକ୍ତ ଚେତାବନୀ ହୋଇ ରହିବ ବୋଲି କହିଛନ୍ତି।




