Uncategorized
ଦଣ୍ଡ ନାଚ ଦେଖି ଫେରୁଥିଲେ, ମାଆ-ଝିଅଙ୍କୁ ଦଳିଦେଲା ହାତୀ


ଭୁବନେଶ୍ବର: ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ଜଣେ ମହିଳା ଏବଂ ତାଙ୍କ ଝିଅଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତିରେ ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ଜିଲ୍ଲାର ମଧୁପୁର ନିକଟରେ ହାତୀ ଆକ୍ରମଣ କରିଥିଲା । ମାଆ ଓ ଝିଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବନ୍ତଳା ରେଞ୍ଜର ପ୍ରସନ୍ନ କୁମାର ସାହୁଙ୍କ ସୂଚନା ଅନୁସାରେ, ଗତକାଲି ରାତିରେ ବାପା, ମାଆ ଓ ଝିଅ ପୋକତୁଙ୍ଗା ଭୋକିଲାପାଳରୁ ବନ୍ତଳା ବନାଞ୍ଚଳର ମଧୁପୁର ଗାଁକୁ ଦଣ୍ଡ ନାଚ ଦେଖିବା ପାଇଁ ଯାଇଥିଲେ । ବିଳମ୍ବିତ ରାତି ପ୍ରାୟ ୨ଟା ବେଳକୁ ଦଣ୍ଡ ନାଚ ଦେଖି ଫେରୁଥିବା ବେଳେ ମଧୁପୁର ନିକଟସ୍ଥ ଏକ ଆମ୍ବ ବଗିଚା ପାଖରେ ପହଞ୍ଚିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣରୁ ବାପା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ମାଆ ଓ ଝିଅଙ୍କୁ ହାତୀ ଦଳି ଦେଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।



