Uncategorized

୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଶିଳ୍ପ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଆଜି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଭୂଇଁପୁର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୪୦,୮୧୧ କୋଟି ଟଙ୍କା ନିବେଶରେ ସମୁଦାୟ ୩୬ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି। ଏହି ଶିଳ୍ପଗୁଡ଼ିକ ମଧ୍ୟରେ ଗ୍ରୀନ୍ ଏନର୍ଜି ଉପକରଣ, ଧାତୁ, ବୟନ ଓ ପୋଷାକ, ପ୍ଲାଷ୍ଟିକ୍, ପର୍ଯ୍ୟଟନ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରତିରକ୍ଷା ଉତ୍ପାଦନ, ଆଇଟି, ଅଟୋମୋବାଇଲ୍ ଏବଂ ସିମେଣ୍ଟ ଶିଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଯାଉଥିବାରୁ ଏହା ଅଞ୍ଚଳିକ ଅର୍ଥନୀତିକୁ ସୁଦୃଢ଼ କରିବ। ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଓଡ଼ିଶା ଏବେ ଆଉ କେବଳ ସମ୍ଭାବନାର ରାଜ୍ୟ ହୋଇ ରହିନାହିଁ, ବରଂ ସମୃଦ୍ଧିର ସ୍ପର୍ଶ ଅନୁଭବ କରୁଛି। ‘ସମୃଦ୍ଧ ଓଡ଼ିଶା’ର ସ୍ୱର୍ଣ୍ଣିମ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଆମ ସରକାର ଯେଉଁ ପ୍ରତିଶ୍ରୁତି ଦିଅନ୍ତି, ତାହା ନିଶ୍ଚିତ ଭାବେ ପୂରଣ କରନ୍ତି।” ରାଜ୍ୟରେ ଏବେ ଦ୍ୱିତୀୟ ଶିଳ୍ପ ବିପ୍ଳବ ଚାଲିଛି ଏବଂ ଏହି ପ୍ରକଳ୍ପଗୁଡ଼ିକ ତାର ବାସ୍ତବ ପ୍ରତିଫଳନ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଶିଳ୍ପ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅପରାଜିତା ଷଡଙ୍ଗୀ, ଖୋର୍ଦ୍ଧା ବିଧାୟକ ଶ୍ରୀ ପ୍ରଶାନ୍ତ ଜଗଦେବ, ବେଗୁନିଆ ବିଧାୟକ ଶ୍ରୀ ପ୍ରଦୀପ କୁମାର ସାହୁ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଆଦାନୀ ପୋର୍ଟସ୍ ଏବଂ SEZ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କରନ୍ ଆଦାନୀ ଏବଂ ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ନିବେଶକାରୀ କମ୍ପାନୀର ବରିଷ୍ଠ ପ୍ରତିନିଧିମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Related Articles

Back to top button