
ଭୁବନେଶ୍ୱର, ୦୭/୦୪/୨୦୨୬: ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜିଲା ଗସ୍ତ ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ । ଶ୍ରୀ ସାମଲ ପରୋକ୍ଷରେ ନବୀନଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ନବୀନ ବାବୁ ଦୀର୍ଘ ୨୪ ବର୍ଷ ଧରି ରାଜ୍ୟ ଶାସନ କରିଥିଲେ ମଧ୍ୟ ସାରା ଓଡ଼ିଶା ବୁଲି ପାରିନାହାନ୍ତି। ଏବେ ବିରୋଧୀ ଦଳ ନେତା ଭାବେ ରାଜ୍ୟ ବୁଲିଲେ ସେ କିଛି ଜ୍ଞାନ ଆହରଣ କରିବା ସହ ତାଙ୍କ ଶାସନ କାଳରେ ରାଜ୍ୟବାସୀ କିଭଳି ଅବସ୍ଥାରେ ଅଛନ୍ତି, ତାହା ବାସ୍ତବରେ ଜାଣିପାରିବେ। ଏକ ଶକ୍ତିଶାଳୀ ବିରୋଧୀ ଦଳ ଗଣତନ୍ତ୍ର ପାଇଁ ମଙ୍ଗଳଦାୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।
ଅନ୍ୟ ଦଳର ନେତାମାନେ ଭାଜପାରେ ସାମିଲ ହେବା ପ୍ରଶ୍ନରେ ମନମୋହନ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ଦ୍ୱାର ସମସ୍ତଙ୍କ ପାଇଁ ସବୁବେଳେ ଖୋଲା ଅଛି। ଯେଉଁମାନଙ୍କୁ ଦଳ ଉଚିତ ମଣିବ, ସେମାନଙ୍କୁ ନିଶ୍ଚିତ ଭାବେ ଗ୍ରହଣ କରାଯିବ। କେନ୍ଦ୍ରରେ ୧୨ ବର୍ଷ ଏବଂ ରାଜ୍ୟରେ ୨୨ ମାସର ଶାସନ କାଳ ମଧ୍ୟରେ ବିଜେପି ସରକାର ଜନସାଧାରଣଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇଛି। ଦଳର କାର୍ଯ୍ୟକର୍ତ୍ତାମାନେ ଅହରହ କାର୍ଯ୍ୟ କରୁଥିବାରୁ ଭାଜପା ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେଉଛି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।




