
ଗଜପତି/ଭୁବନେଶ୍ୱର, ୦୭/୦୪/୨୦୨୬: ଗଜପତି ଜିଲ୍ଲା ପୋଲିସ ନିଶା କାରବାର ବିରୋଧରେ ଏକ ବିଶାଳ ସଫଳତା ହାସଲ କରିଛି। ଆର୍. ଉଦୟଗିରି ଏସଡିପିଓ ଶ୍ରୀ ରାକେଶ ସାହୁ, ଆଇପିଏସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଅଡ଼ବା ଥାନା ଅନ୍ତର୍ଗତ କାରିଗେଜୁ ଗ୍ରାମ ନିକଟସ୍ଥ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୨,୮୧୧ କେଜି (୨.୮ ଟନ୍) ଗଞ୍ଜେଇ ଜବତ କରିଛି। ଗତକାଲି ଭୋର ସମୟରେ ଚାଲିଥିବା ଏହି ସର୍ଚ୍ଚ ଅପରେସନ ସମୟରେ ଲୁଚାଇ ରଖାଯାଇଥିବା ୧୧୩ଟି ପ୍ଲାଷ୍ଟିକ ବ୍ୟାଗରୁ ଏହି ବିପୁଳ ପରିମାଣର ଗଞ୍ଜେଇ ଉଦ୍ଧାର କରାଯାଇଛି। ତେବେ ପୋଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି।
ଏହି ସଂକ୍ରାନ୍ତରେ ଅଡ଼ବା ଥାନାରେ ଏନ୍ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ୧୮ ନଭେମ୍ବର ୨୦୨୫ ଠାରୁ ୦୬ ଏପ୍ରିଲ ୨୦୨୬ ମଧ୍ୟରେ ଗଜପତି ପୋଲିସ ନିଶା କାରବାର ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ସ୍ୱଳ୍ପ ସମୟ ମଧ୍ୟରେ ଅଡ଼ବା ଓ ଆର୍. ଉଦୟଗିରି ଥାନା ଅଞ୍ଚଳରେ ମୋଟ ୧୫ଟି ମାମଲାରେ ୧୨,୫୦୧ କେଜିରୁ ଅଧିକ (୧୨.୫ ଟନ୍) ଗଞ୍ଜେଇ ଜବତ ହୋଇସାରିଛି। ବିଶେଷକରି କେଶରୀଗୁଡ଼ା ଅଞ୍ଚଳରୁ ୪,୦୪୦ କେଜି ଏବଂ ବୁରିପଦରରୁ ୧,୮୩୦ କେଜି ଗଞ୍ଜେଇ ଉଦ୍ଧାର କରାଯାଇ ନିଶା ମାଫିଆଙ୍କ ନେଟୱର୍କକୁ ଧ୍ୱସ୍ତ କରାଯାଇଛି।
ରାଜ୍ୟରେ ଗଞ୍ଜେଇ ଚାଷ ଓ ଅବୈଧ କାରବାରକୁ ମୂଳପୋଛ କରିବା ପାଇଁ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶାନୁସାରେ ରାଜ୍ୟ ପୋଲିସ ପକ୍ଷରୁ ଏକ ସଂଘବଦ୍ଧ ଅଭିଯାନ ଜାରି ରହିଛି। ତୃଣମୂଳ ସ୍ତରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବାରୁ ଜିଲ୍ଲା ପୋଲିସକୁ ଏଭଳି ବଡ଼ ସଫଳତା ମିଳୁଛି ବୋଲି ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।



