ମହଙ୍ଗା ପଡ଼ିଲା ପ୍ରଦୂଷଣ ନିୟମ ଉଲ୍ଲଂଘନ, ଶ୍ୟାମ୍ ମେଟାଲିକ୍ସ କମ୍ପାନୀ ସିଲ୍ କଲା CPCB


ଭୁବନେଶ୍ବର: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମ୍ବଲପୁରରେ ବଡ କାର୍ଯ୍ୟାନୁଷ୍ଠାନ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ପଣ୍ଡଲୋଇ ସ୍ଥିତ ଶ୍ୟାମ୍ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡ କମ୍ପାନୀକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସିଲ୍ କରାଯାଇଛି । ଆଜି ପର୍ଯ୍ୟାୟ କ୍ରମେ ପ୍ଲାଣ୍ଟ୍ ର ବିଭିନ୍ନ ୟୁନିଟରେ ପ୍ରଥମେ ବିଦ୍ୟୁତ ସଂଯୋଗୀକରଣ କଟା ଯାଇଥିଲା ଏବଂ ପରେ ସିଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପରିବେଶ ପ୍ରଦୂଷଣ ନିୟମ ଉଲ୍ଲଂଘନ ଯୋଗୁଁ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି କମ୍ପାନୀକୁ ସିଲ୍ କରିବାକୁ ଗତ ମାର୍ଚ୍ଚ 30 ତାରିଖରେ ନିର୍ଦ୍ଦେଶ ଦେଇଥିଲା । ସମ୍ବଲପୁର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସତ୍ୟନାରାୟଣ ନନ୍ଦ, ସମ୍ବଲପୁର ସଦର ଉପଜିଲ୍ଲାପାଳ ପୁଷ୍ପାଞ୍ଜଳି ପଣ୍ଡା ସମେତ ରେଙ୍ଗାଲି ତହସିଲଦାର ଓ ସଦର ଏସଡିପିଓ ତୁଫାନ ବାଗ ,ବରିଷ୍ଠ ଥାନା ଅଧିକାରୀ ଏବଂ ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ । ବାରମ୍ବାର ନିୟମ ଉଲ୍ଲଂଘନ ନେଇ ସିପିସିବିର ଅଭିଯୋଗ ପରେ ଏହି କାର୍ଯ୍ୟାନୁଷ୍ଠାନ ପାଇଁ ମାର୍ଚ୍ଚ ୩୦ ତାରିଖରେ ନିର୍ଦ୍ଦେଶ ଜାରି କରାଯାଇଥିଲା ।




