ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଆଜି ମହାପ୍ରଭୁଙ୍କ ପଇତା ଲାଗି ନୀତି; ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ବର: ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ପରମ୍ପରା ମୁତାବକ ଚନ୍ଦନ ଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଏହି କ୍ରମରେ ଶ୍ରୀମନ୍ଦିରରେ ଆଜି ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଆଜି ବୈଶାଖ କୃଷ୍ଣ ଚତୁର୍ଥୀ ତିଥିରେ ଶ୍ରୀବିଗ୍ରହମାନଙ୍କ ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରେ ଦୈନଦିନ ଲାଗି ହେଉଥିବା ଚନ୍ଦନକୁ ବାସୁଙ୍ଗାପାଟରେ ପ୍ରସ୍ତୁତ ଏହି ପଇତା ସୁରକ୍ଷା ଦେବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ସନ୍ଧ୍ୟାରୁ ଚାରି ଘଣ୍ଟା ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହଥାଏ । ଦ୍ଵିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଏହି ଗୁପ୍ତ ନୀତି ସମ୍ପାଦିତ ହୋଇଥାଏ । ପରମ୍ପରା ଅନୁସାରେ, ଗୋଷ୍ଠୀଗତ ଭାବରେ ଏହି ନୀତିକୁ ଦଇତାପତି ସେବାୟତମାନେ ସମ୍ପାଦିତ କରିବେ । ନୀତି ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ବାସୁଙ୍ଗା ପାଟ ନେଇ ପାଟରା ସେବକମାନେ ଲଷ୍ମୀ ମନ୍ଦିର ଜଗମୋହନରେ ବସି ପାଟ ପଇତା ବୋଳିଥାନ୍ତି । ପରେ ପ୍ରସ୍ତୁତ ପଇତାକୁ ଦେଉଳ-କରଣଙ୍କୁ ଯୋଗା ଯାଇଥାଏ ।ଏହାପରେ ସେହି ବାସୁଙ୍ଗା ପାଟରେ ପ୍ରସ୍ତୁତ ପଇତାକୁ ଶ୍ରୀବିଗ୍ରହଙ୍କୁ ଲାଗି କରାଯାଇଥାଏ ।

Related Articles

Back to top button