
ଭୁବନେଶ୍ୱର, ୦୬/୦୪/୨୦୨୬: ରାଜ୍ୟର ବିଜେପି ସରକାରଙ୍କ ବିଭିନ୍ନ ନିଷ୍ପତ୍ତି ଏବଂ ବିକାଶମୂଳକ କାର୍ଯ୍ୟରେ ଶିଥିଳତାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦଳର ମିଡ଼ିଆ ସଂଯୋଜକ ଡକ୍ଟର ଲେନିନ ମହାନ୍ତି ଏକାଧିକ ପ୍ରସଙ୍ଗରେ ସରକାରଙ୍କୁ ଘେରିବା ସହ ସାଧାରଣ ଜନତାଙ୍କ ସ୍ୱାର୍ଥ ରକ୍ଷାରେ ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି।
ସରକାରଙ୍କ ୫ କେଜି ଏଲ୍ପିଜି (LPG) ସିଲିଣ୍ଡର ବନ୍ଦ ନିଷ୍ପତ୍ତିକୁ ଶ୍ରୀ ମହାନ୍ତି ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଏହି ଛୋଟ ସିଲିଣ୍ଡର ମୁଖ୍ୟତଃ ଗରିବ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ଛୋଟ ପରିବାର ପାଇଁ ସାହା ଭରସା ଥିଲା। ବିନା କୌଣସି ପୂର୍ବ ପ୍ରସ୍ତୁତିରେ ଏହାକୁ ବନ୍ଦ କରିବା ସାଧାରଣ ଲୋକଙ୍କ ପାଇଁ ଦୁର୍ଦ୍ଦଶା ଆଣିଦେଇଛି। ଗୋଟିଏ ପଟେ ସିଲିଣ୍ଡର ପାଇଁ କାର୍ଡ ଦେଖାଇବାକୁ କୁହାଯାଉଥିବା ବେଳେ ଅନ୍ୟପଟେ ବେଳାଭୂମିରେ ‘ବିଚ୍ ଶାକ୍’ ଖୋଲିବାକୁ ଅନୁମତି ଦେବା ସରକାରଙ୍କ ଚଞ୍ଚକତାକୁ ସ୍ପଷ୍ଟ କରୁଛି। ଏପରିକି PUCC ପାଇଁ ଲୋକଙ୍କୁ ରାତି ସାରା ଲାଇନରେ ଛିଡ଼ା କରି ହଇରାଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଁ ଗାଁ ବୁଲିବା କାର୍ଯ୍ୟକ୍ରମକୁ ବିଜେପି ଅନୁକରଣ କରୁଥିବା ନେଇ ଲେନିନ ମହାନ୍ତି କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ନେତାମାନେ ଗାଁକୁ ଗଲେ ହିଁ ଜାଣିପାରିବେ ଯେ ରାଜ୍ୟରେ ବିକାଶ କିଭଳି ଠପ୍ ହୋଇଯାଇଛି। ଲୋକମାନେ ବର୍ତ୍ତମାନର ସରକାରଙ୍କ ଉପରେ କେତେ ଅସନ୍ତୁଷ୍ଟ ଅଛନ୍ତି, ତାହା ‘ଗାଁ ଚଲୋ’ ଅଭିଯାନ ସମୟରେ ସେମାନେ ଅନୁଭବ କରିବେ ବୋଲି ସେ ମତ ଦେଇଛନ୍ତି।
ଆଦିବାସୀ ଜିଲ୍ଲାଗୁଡ଼ିକର ବିକାଶ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଗଠନରେ ବିଳମ୍ବକୁ ନେଇ ଶ୍ରୀ ମହାନ୍ତି ବିଜେପିକୁ ଘେରିଛନ୍ତି। ସେ କହିଛନ୍ତି ଯେ, ଆମେ ଆଦିବାସୀ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ନେଇ ଗର୍ବିତ, କିନ୍ତୁ ବିଜେପି ସରକାର ଦୁଇ ବର୍ଷ ଧରି SDC ଗଠନ ନକରିବା ଦଳୀୟ ଅନ୍ତରକନ୍ଦଳକୁ ସ୍ପଷ୍ଟ କରୁଛି। ମୁଖ୍ୟମନ୍ତ୍ରୀ ଅନ୍ୟ ରାଜ୍ୟରେ ପ୍ରଚାର କରିବା ଅପେକ୍ଷା ଓଡ଼ିଶାର ଆଦିବାସୀ ଅଞ୍ଚଳର ଉନ୍ନତି ଏବଂ ଓଡ଼ିଶାକୁ ‘ସ୍ୱତନ୍ତ୍ର ଫୋକସ ଷ୍ଟେଟ୍’ ମାନ୍ୟତା ଦେବା ଦିଗରେ ଧ୍ୟାନ ଦେବା ଉଚିତ ବୋଲି ବିଜେଡି ଦାବି କରିଛି।




