ଚୀନ୍ ପଳାଇଲା ଭାରତ ଆସୁଥିବା ଇରାନୀ ତେଲ ଟ୍ୟାଙ୍କର


ନୂଆଦିଲ୍ଲୀ: ଇରାନରୁ ଅଶୋଧିତ ତୈଳ ଧରି ଭାରତ ଅଭିମୁଖେ ଆସୁଥିବା ଏକ ଟ୍ୟାଙ୍କର ସମୁଦ୍ର ମଝିରେ ବାଟଭାଙ୍ଗି ଚୀନ୍ ପଳାଇଥିବା ସୂଚନା ମିଳିଛି । ୨୦୦୨ରେ ନିର୍ମିତ ପିଙ୍ଗସୁନ ନାମକ ଏହି ଟ୍ୟାଙ୍କର ଉପରେ ଆମେରିକାର ଟ୍ରମ୍ପ ପ୍ରଶାସନ ଗତବର୍ଷ ବାସନ୍ଦ ଲଗାଇଥିଲା। ଇରାନରୁ ତେଲ ଧରି ଏହା ଭାରତ ଆସୁଥିଲା । କିଛିଦିନ ଭିତରେ ତାହା ଗୁଜରାଟର ବଡିନାର ବନ୍ଦରରେ ଲାଗିଥାନ୍ତା । କିନ୍ତୁ ଏହା ସମୁଦ୍ର ଭିତରେ ଗୁଜରାଟ ନ ଆସି ଚୀନ୍ର ଡଙ୍ଗୟିଙ୍ଗ ବନ୍ଦର ଅଭିମୁଖେ ଯାଉଥିବା ଜାହାଜ ଟ୍ରାକିଂ ସଂସ୍ଥା କେପଲର ସୂଚନା ଦେଇଛି । ଏହି ଟ୍ୟାଙ୍କର ଭାରତରେ ପହଞ୍ଚିଥିଲେ ପ୍ରଥମଥର ପାଇଁ ଦୀର୍ଘ ୭ ବର୍ଷ ପରେ କୌଣସି ଇରାନୀ ତେଲ ଭାରତକୁ ମିଳିଥାନ୍ତା ।ତେବେ କୁହାଯାଉଛି କି ତୈଳ ପେମେଣ୍ଟ (ଆର୍ଥିକ କାରବାର)କୁ ନେଇ କିଛି ବିବାଦ ଯୋଗୁ ତାହା ଭାରତ ନ ଆସି ଚୀନ୍ ପଳାଇଛି । କିନ୍ତୁ ଏ ସମ୍ପର୍କରେ ଭାରତ କିମ୍ବା ଇରାନ ପକ୍ଷରୁ କିଛି କୁହାଯାଇ ନାହିଁ । ତେବେ ପ୍ରକୃତରେ ଏହି ତେଲର ବିକ୍ରେତା କିଏ ଓ କ୍ରେତା କିଏ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ୨୦୧୯ ମେ’ରେ ଇରାନରୁ ତେଲ ଆଣିବା ଉପରେ ଆମେରିକା କଟକଣା ଲଗାଇବା ପରେ ଭାରତ ତେଲ ଆମଦାନୀ ବନ୍ଦ କରିଦେଇଥିଲା । ନିକଟରେ ଆମେରିକା ଏହି କଟକଣାକୁ କିଛିଦିନ ପାଇଁ ପ୍ରତ୍ୟାହାର କରିବା ପରେ ଭାରତ ଇରାନରୁ ତେଲ ଆଣୁଥିଲା । ସୂଚନା ଅନୁସାରେ ଏହି ଟ୍ୟାଙ୍କରଟି ଗତ ମାର୍ଚ୍ଚରେ ଖର୍ଗ ଦ୍ୱୀପରୁ ତେଲ ବୋଝେଇ କରି ଭାରତ ଅଭିମୁଖେ ଆସୁଥିଲା । ତେବେ ପେମେଣ୍ଟ, ସିପିଂ ଓ ଇନସ୍ୟୁରାନ୍ସକୁ ନେଇ ସମସ୍ୟା ସୃଷ୍ଟି ହୋଇଛି ।




