Uncategorized

ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀର ପ୍ରକୋପ: ଅନେକ ଜିଲ୍ଲା ପାଇଁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ ପୁଣି ସକ୍ରିୟ ହେଉଛି କାଳବୈଶାଖୀ। ରବିବାରଠାରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବର୍ଷାର ପରିମାଣ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବିଶେଷ କରି ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବାବେଳେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ସେହିପରି ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ହେବାର ଆଶଙ୍କା ରହିଛି। ଆସନ୍ତା ୬ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଅଧିକ ରହିବ। ଏହି ଜିଲ୍ଲାଗୁଡ଼ିକର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଏବଂ ଝଡ଼ପବନ ହେବାର ସମ୍ଭାବନା ଅଛି। ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ପାଗରେ ପରିବର୍ତ୍ତନ ଦେଖାଦେବ। ପରବର୍ତ୍ତୀ ସମୟରେ ଅର୍ଥାତ ୭ ଏବଂ ୮ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ସ୍ଥାନ ଭିଜିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଗତ କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଛି। ଝାରସୁଗୁଡ଼ା, ତାଳଚେର ଏବଂ ପାରଳାଖେମୁଣ୍ଡିରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ତାଳଚେରରେ ସର୍ବାଧିକ ୪୦.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଶନିବାର ଚାନ୍ଦବାଲି ଓ ଭଦ୍ରକର କିଛି ଅଞ୍ଚଳରେ ବର୍ଷା ହୋଇଥିଲେ ସୁଦ୍ଧା ଅନ୍ୟାନ୍ୟ ସ୍ଥାନରେ ଗରମ ଜାରି ରହିଛି। ତେବେ ଆଗାମୀ କାଳବୈଶାଖୀ ବର୍ଷା ଯୋଗୁଁ ତାପମାତ୍ରା ସାମାନ୍ୟ କମିବା ସହ ଲୋକଙ୍କୁ ତାତିରୁ କିଛିଟା ତ୍ରାହି ମିଳିପାରେ।

Related Articles

Back to top button