ଓଡ଼ିଶାରାଜନୀତି

ଓଡ଼ିଶା ଦିବସରେ ‘ଡବଲ ଇଞ୍ଜିନ’ ସରକାରଙ୍କ ଡବଲ ଧୋକା: ପୂର୍ବତଟ ରେଳବାଇର ସଙ୍କୋଚନକୁ ନେଇ ବିଜେଡିର ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ୱର, ୦୩/୦୪/୨୦୨୬: ରାଜ୍ୟରେ ‘ଡବଲ ଇଞ୍ଜିନ’ ସରକାର କ୍ଷମତାକୁ ଆସିବା ପରେ ଓଡ଼ିଶାର ହକ୍କୁ ଆନ୍ଧ୍ର ପ୍ରଦେଶ ପାଖରେ ବନ୍ଧା ପକାଯାଉଥିବା ନେଇ ବିଜୁ ଜନତା ଦଳ ଗମ୍ଭୀର ଅଭିଯୋଗ ଆଣିଛି। ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ  ଏବଂ ମୁଖପାତ୍ର ଡ଼ ଲେନିନ ମହାନ୍ତି କେନ୍ଦ୍ର ଓ ରାଜ୍ୟ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପଲାସା ଏବଂ ଇଚ୍ଛାପୁରମ ଅଞ୍ଚଳକୁ ପୂର୍ବତଟ ରେଳବାଇରୁ କାଢ଼ି ନେଇ ଆନ୍ଧ୍ର ପ୍ରଦେଶରେ ଥିବା ଦକ୍ଷିଣତଟ ରେଳବାଇରେ ମିଶ୍ରଣ କରାଯିବା ନିଷ୍ପତ୍ତିକୁ ବିଜେଡି ‘ଓଡ଼ିଶା ଦିବସର ବିଷାଦପୂର୍ଣ୍ଣ ଉପହାର’ ବୋଲି ଅଭିହିତ କରିଛି। ଆନ୍ଧ୍ରକୁ ଖୁସି କରିବା ପାଇଁ ଓଡ଼ିଶାର ସ୍ୱାର୍ଥ ସହ ବାରମ୍ବାର ସାଲିସ କରାଯାଉଥିବା ଦଳ ପକ୍ଷରୁ କୁହାଯାଇଛି।

ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଅଭିଯୋଗ କରିଛନ୍ତି ଯେ, ପୂର୍ବତଟ ରେଳବାଇ ଦେଶରେ ସର୍ବାଧିକ ରାଜସ୍ୱ ଦେଉଥିବା ଡିଭିଜନ ହୋଇଥିଲେ ମଧ୍ୟ ଏହାକୁ ଦୁର୍ବଳ କରିବାକୁ ଲଗାତର ଷଡ଼ଯନ୍ତ୍ର ଚାଲିଛି। ପୂର୍ବରୁ କୋରାପୁଟ ଓ ରାୟଗଡ଼ାର କିଛି ଅଂଶକୁ ଦକ୍ଷିଣତଟ ରେଳବାଇରେ ସାମିଲ କରାଯାଇଥିବା ବେଳେ ଏବେ ପଲାସା ଓ ଇଚ୍ଛାପୁରମକୁ ହାତଛଡ଼ା କରାଯାଇଛି। ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ରେଳମନ୍ତ୍ରୀ ଏବଂ ବିଜେପିର ୨୦ ଜଣ ଲୋକସଭା ସାଂସଦ ଏଭଳି ଅନ୍ୟାୟ ବିରୋଧରେ ମୁହଁ ନଖୋଲିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ରାଜ୍ୟର ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ବିଜେପି ନେତୃତ୍ୱ ନିରବଦ୍ରଷ୍ଟା ସାଜିଥିବାରୁ ଏହା ଓଡ଼ିଶା ଅସ୍ମିତା ପ୍ରତି ଏକ ବଡ଼ କୁଠାରଘାତ ବୋଲି ବିଜେଡି ଦାବି କରିଛି।

ସେହିଭଳି ଡ଼ ଲେନିନ ମହାନ୍ତି କହିଛନ୍ତି ଯେ, ରାଜ୍ୟର ଅନେକ ଜିଲ୍ଲାକୁ ଏପର୍ଯ୍ୟନ୍ତ ରେଳ ସଂଯୋଗ ହୋଇପାରି ନଥିବା ବେଳେ ଥିବା ଅଞ୍ଚଳକୁ ଅନ୍ୟ ରାଜ୍ୟକୁ ଟେକି ଦେବା ନିନ୍ଦନୀୟ। ବିଜେଡି ପକ୍ଷରୁ ଦାବି କରାଯାଇଛି ଯେ, ପୂର୍ବତଟ ରେଳବାଇର ସଙ୍କୋଚନ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଏଥିସହିତ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ରେଳ ଅଞ୍ଚଳ ଗୁଡ଼ିକୁ ଦକ୍ଷିଣ-ପୂର୍ବ ରେଳବାଇରୁ କାଢ଼ି ପୂର୍ବତଟ ରେଳବାଇରେ ମିଶ୍ରଣ କରି ଏହାକୁ ଅଧିକ ସୁଦୃଢ଼ କରାଯାଉ। ଡବଲ ଇଞ୍ଜିନ ସରକାର ରାଜ୍ୟକୁ ବିକାଶ ବଦଳରେ ବିନାଶ ଆଡ଼କୁ ନେଇଯାଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ମତ ପ୍ରକାଶ ପାଇଛି।

 

Related Articles

Back to top button