ଓଡ଼ିଶାରାଜନୀତି

ଡବଲ ଇଞ୍ଜିନ ସରକାର ଓଡ଼ିଶାର ଶତ୍ରୁ, ଚାଲିଛି ରାଜ୍ୟର ଅଙ୍ଗଛେଦନ: କେନ୍ଦ୍ର ଉପରେ ବର୍ଷିଲେ ଭକ୍ତ ଦାସ

ଭୁବନେଶ୍ୱର, ୦୩/୦୪/୨୦୨୬: କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ସ୍ୱାର୍ଥକୁ ବଳି ଦେଇ ଆନ୍ଧ୍ର ପ୍ରୀତି ଦେଖାଉଥିବା ନେଇ ଅଭିଯୋଗ କରିଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ ଭକ୍ତ ଚରଣ ଦାସ। ରେଳ ମନ୍ତ୍ରଣାଳୟ ପକ୍ଷରୁ ଗତ ଏପ୍ରିଲ ୨ ତାରିଖରେ ଜାରି ହୋଇଥିବା ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ପୂର୍ବତଟ ରେଳପଥ (ECoR) ଅଧୀନରେ ଥିବା ପଲାସା-ଇଚ୍ଛାପୁରମ୍ ଅଂଶକୁ ପ୍ରସ୍ତାବିତ ଦକ୍ଷିଣ ତଟ ରେଳପଥ (SCoR) ବା ବିଶାଖାପାଟନା ଡିଭିଜନରେ ସାମିଲ କରାଯିବା ନିଷ୍ପତ୍ତିକୁ ଶ୍ରୀ ଦାସ ତୀବ୍ର ବିରୋଧ କରିଛନ୍ତି। ଏହାଦ୍ୱାରା ଓଡ଼ିଶାର ରେଳ ସୀମା ସଂକୁଚିତ ହେବା ସହ ରାଜ୍ୟର ଅଙ୍ଗଛେଦନ ଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି।

ଶ୍ରୀ ଦାସ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ପୂର୍ବରୁ ୱାଲଟିୟର ଡିଭିଜନକୁ ପୂର୍ବତଟ ରେଳପଥରୁ ଅଲଗା କରି ଆନ୍ଧ୍ରକୁ ଟେକି ଦିଆଯାଇଛି, ଯାହା ଫଳରେ ଓଡ଼ିଶା ବାର୍ଷିକ ପ୍ରାୟ ୮ ରୁ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ହରାଇଛି। ବର୍ତ୍ତମାନ ପଲାସା ଓ ଇଚ୍ଛାପୁରମ ଅଞ୍ଚଳକୁ ସ୍ଥାନାନ୍ତର କରିବା ପରେ ପୂର୍ବତଟ ରେଳପଥ ଏବେ ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇପଡ଼ିଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ସେ ରାଜ୍ୟର ଶତ୍ରୁ ସାଜିଛନ୍ତି ବୋଲି ଶ୍ରୀ ଦାସ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଯଦି ଆନ୍ଧ୍ର ପ୍ରଦେଶ ସୀମା ଭିତ୍ତିରେ ରେଳ ଅଂଶ ନେଉଛି, ତେବେ ଲକ୍ଷ୍ମଣନାଥରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ରେଳ ଅଂଶକୁ ପୂର୍ବତଟ ରେଳପଥରେ କାହିଁକି ସାମିଲ କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ୟୁପିଏ ସରକାର ସମୟରେ କଳାହାଣ୍ଡିର ନର୍ଲା ଏବଂ ଗଞ୍ଜାମର ସୀତାପୁରରେ ପ୍ରସ୍ତାବିତ ୱାଗନ କାରଖାନା ପ୍ରକଳ୍ପକୁ କେନ୍ଦ୍ର ସରକାର ଚାପି ଦେଇଥିବା ନେଇ ଭକ୍ତ ଦାସ ଅଭିଯୋଗ କରିଛନ୍ତି। ପୂର୍ବତଟ ରେଳପଥ ଭାରତୀୟ ରେଳକୁ ସର୍ବାଧିକ ରାଜସ୍ୱ ଦେଉଥିଲେ ମଧ୍ୟ ଓଡ଼ିଶା ପ୍ରତି ଏନ୍‌ଡିଏ ସରକାରଙ୍କ ବୈମାତୃକ ମନୋଭାବ ଜାରି ରହିଛି। ଓଡ଼ିଆ ଅସ୍ମିତାର ନାରା ଦେଇ ଶାସନକୁ ଆସିଥିବା ଡବଲ ଇଞ୍ଜିନ ସରକାର ଆଜି ଓଡ଼ିଶାର ସ୍ୱାଭିମାନକୁ ପଡ଼ୋଶୀ ରାଜ୍ୟ ଓ ପୁଞ୍ଜିପତିଙ୍କ ନିକଟରେ ବିକ୍ରି କରିଦେଉଛନ୍ତି। ଏହି ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ନହେଲେ ଓଡ଼ିଶା କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି।

Related Articles

Back to top button