ଖୁବ୍ ଶୀଘ୍ର ବନ୍ଦ ହେବ ଯୁଦ୍ଧ: ଟ୍ରମ୍ପ

ୱାଶିଂଟନ, ୦୨/୦୪/୨୦୨୬: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆଜି ୩୪ତମ ଦିନରେ ପହଞ୍ଚିଥିବା ବେଳେ ଇରାନ ସହ ଚାଲିଥିବା ସଂଘର୍ଷକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଆଜି ଆମେରିକାବାସୀଙ୍କୁ ସମ୍ବୋଧିତ କରି ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ ସହ ଯୁଦ୍ଧ ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ଆମେରିକୀୟ ସେନାର ଶକ୍ତିଶାଳୀ ପ୍ରହାରରେ ଇରାନର ସାମରିକ ଶକ୍ତି ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହୋଇଯାଇଛି। ଗତ କିଛି ଦିନର ଅପରେସନ ମଧ୍ୟରେ ଇରାନର ବାୟୁସେନା, ନୌସେନା ଏବଂ ଆର୍ମୀର ବଡ଼ ଧରଣର କ୍ଷତି ହୋଇଛି। ଟ୍ରମ୍ପଙ୍କ କହିବା ଅନୁଯାୟୀ, ଇରାନର ଅଧିକାଂଶ ପ୍ରଭାବଶାଳୀ ନେତା ଏବଂ ଆତଙ୍କବାଦୀ ଶାସନର ମୁଖ୍ୟମାନଙ୍କୁ ନିପାତ କରାଯାଇ ସାରିଛି। ଏପରିକି ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଉପରେ ଶତ୍ରୁପକ୍ଷର ନିୟନ୍ତ୍ରଣ ଏବେ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି।
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ, ଇରାନର ମିସାଇଲ୍ ଏବଂ ଡ୍ରୋନ୍ ଭଣ୍ଡାର ଶେଷ ହୋଇସାରିଥିବାରୁ ଆମେରିକାର ଲକ୍ଷ୍ୟ ହାସଲ ହୋଇଛି। ଆଗାମୀ ୨ ରୁ ୩ ସପ୍ତାହ ମଧ୍ୟରେ ଏକ ଚୂଡ଼ାନ୍ତ ଆକ୍ରମଣ ପରେ ଯୁଦ୍ଧବିରତି ଘୋଷଣା ହୋଇପାରେ। ଯେଉଁ ଇରାନ ଆତଙ୍କବାଦକୁ ପୂର୍ଣ୍ଣ ସମର୍ଥନ ଦେଉଥିଲା, ତାହା ଏବେ ଭୟଙ୍କର କ୍ଷତି ସହି ହାର ମାନିଛି। ଏହି ସମୟରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ (Strait of Hormuz) କୁ ନେଇ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକାକୁ ହର୍ମୁଜ ଦେଇ ଆଉ ତେଲ ଆବଶ୍ୟକ ନାହିଁ। ଯେଉଁ ଦେଶମାନଙ୍କୁ ତେଲ ଦରକାର, ସେମାନେ ନିଜେ ସେହି ଅଞ୍ଚଳର ସୁରକ୍ଷା କରନ୍ତୁ। ତେବେ ହର୍ମୁଜ ପାଇଁ ଯଦି କେହି ଲଢ଼ିବେ, ତେବେ ଆମେରିକା ସେମାନଙ୍କୁ ସାହାଯ୍ୟ କରିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି।
ଆମେରିକୀୟ ସେନାର ଏହି ସଫଳତା ପାଇଁ ଗର୍ବ ଅନୁଭବ କରି ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଭଳି ଶକ୍ତିଶାଳୀ ଦେଶ ସାରା ବିଶ୍ୱରେ ଦ୍ୱିତୀୟଟି ନାହିଁ। ଇରାନର ନୌସେନାକୁ ଗତରାତିରେ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଛି ଏବଂ ଆତଙ୍କବାଦୀ କାର୍ଯ୍ୟକଳାପକୁ କଡ଼ା ଜବାବ ଦିଆଯାଇଛି। ବର୍ତ୍ତମାନ ଆମେରିକୀୟ ସେନା ନିଜର ଲକ୍ଷ୍ୟ ପୂରଣ କରି ସ୍ୱଦେଶ ଫେରିବାର ସମୟ ଆସିଛି। ଏହି ବଡ଼ ଘୋଷଣା ପରେ ସାରା ବିଶ୍ୱରେ ମଧ୍ୟପ୍ରାଚ୍ୟର ଶାନ୍ତି ପ୍ରକ୍ରିୟାକୁ ନେଇ ପୁଣିଥରେ ନୂତନ ଆଶା ସଞ୍ଚାର ହୋଇଛି।




