
ନୂଆଦିଲ୍ଲୀ, ୦୨/୦୪/୨୦୨୬: ଆମ ଆଦମୀ ପାର୍ଟି (AAP) ନିଜର ବରିଷ୍ଠ ନେତା ତଥା ସାଂସଦ ରାଘବ ଚଢାଙ୍କୁ ଏକ ବଡ଼ ଝଟ୍କା ଦେଇଛି। ଦଳ ପକ୍ଷରୁ ରାଜ୍ୟସଭା ସଚିବାଳୟକୁ ଏକ ଚିଠି ଲେଖାଯାଇ ତାଙ୍କୁ ଗୃହର ଉପନେତା ପଦରୁ ହଟାଇବା ପାଇଁ ଅନୁରୋଧ କରାଯାଇଛି। ଏହା ସହିତ ରାଜ୍ୟସଭାରେ ଏଏପି କୋଟାରୁ ତାଙ୍କୁ କହିବା ପାଇଁ ସମୟ ନଦେବାକୁ ମଧ୍ୟ ଦଳ ପକ୍ଷରୁ କୁହାଯାଇଛି। ରାଘବଙ୍କ ସ୍ଥାନରେ ପଞ୍ଜାବର ରାଜ୍ୟସଭା ସାଂସଦ ଡକ୍ଟର ଅଶୋକ ମିତ୍ତଲଙ୍କୁ ଉଚ୍ଚ ସଦନରେ ଦଳର ନୂତନ ଉପନେତା ଭାବେ ନିଯୁକ୍ତ କରିବାକୁ ଏଏପି ସଚିବାଳୟକୁ ସୁପାରିଶ କରିଛି। ଯାହା ଫଳରେ ଏବେ ଡକ୍ଟର ଅଶୋକ ମିତ୍ତଲ ରାଜ୍ୟସଭାରେ ଦଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି।
ସୂତ୍ର ଅନୁଯାୟୀ, ରାଘବ ଚଢା ଦଳ ସହିତ ବିନା ପରାମର୍ଶରେ କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ନିଜର ମତ ରଖୁଥିବା ଅଭିଯୋଗ ହୋଇଛି। ସେ ରାଜ୍ୟସଭାରେ କେଉଁ ପ୍ରସଙ୍ଗରେ ଆଲୋଚନା କରିବେ, ସେ ବିଷୟରେ ଦଳକୁ ପୂର୍ବରୁ ଅବଗତ କରାଉନଥିଲେ। ଏହି ବିଶୃଙ୍ଖଳା ପାଇଁ ପୂର୍ବରୁ ଆମ ଆଦମୀ ପାର୍ଟି ତାଙ୍କୁ ଚେତାବନୀ ମଧ୍ୟ ଦେଇଥିଲା। ତଥାପି କୌଣସି ପରିବର୍ତ୍ତନ ନହେବାରୁ ଦଳ ଏହି କଠୋର ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ରାଘବ ଚଢାଙ୍କ ଭଳି ଜଣେ ପ୍ରଭାବଶାଳୀ ନେତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦରୁ ହଟାଯିବା ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।




