ଖୋର୍ଦ୍ଧାବାସୀଙ୍କୁ ସାଂସଦ ଓ ବିଧାୟକଙ୍କ ବଡ଼ ଭେଟି: ୨୮ କୋଟିର ପାନୀୟ ଜଳ ପ୍ରକଳ୍ପ ସହ ନିର୍ମାଣ ହେବ ୬ କୋଟିର ନୂତନ ପୌର କାର୍ଯ୍ୟାଳୟ

ଭୁବନେଶ୍ୱର, ୦୨/୦୪/୨୦୨୬: ଖୋର୍ଦ୍ଧା ପୌରାଞ୍ଚଳବାସୀଙ୍କ ଦୀର୍ଘଦିନର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆଜି ଏକ ବଡ଼ ପଦକ୍ଷେପ ନିଆଯାଇଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ମିଳିତ ଭାବେ ୨୮ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ୨୪ ଘଣ୍ଟିଆ ‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ (Drink from Tap) ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ କାର୍ଯ୍ୟ ନିର୍ବାହୀ ସଂସ୍ଥା ‘ୱାଟକୋ’ (WATCO) ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ଖୋର୍ଦ୍ଧା ପୌରାଞ୍ଚଳର ୨୨ଟି ୱାର୍ଡର ପ୍ରାୟ ୯,୪୫୦ଟି ପରିବାର ଉପକୃତ ହେବେ। ପ୍ରାୟ ୬୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ୱଚ୍ଛ, ନିରନ୍ତର ଏବଂ ନିରଙ୍କୁଶ ପାନୀୟ ଜଳ ଯୋଗାଇ ଦେବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ।
ଏହି ପ୍ରକଳ୍ପ ଅଧୀନରେ ବିଭିନ୍ନ ମୋଟେଇର ପ୍ରାୟ ୩୧,୨୯୮ ମିଟର ପାଇପ୍ ବିଛାଯିବାର କାର୍ଯ୍ୟକ୍ରମ ରହିଛି। ଜଳ ସଞ୍ଚୟ ଏବଂ ସୁଚାରୁ ଯୋଗାଣ ନିମିତ୍ତ ଆଧୁନିକ ଜ୍ଞାନକୌଶଳରେ ୬୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଗୋଟିଏ MBR ଏବଂ ୧୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଦୁଇଟି UGR ସ୍ଥାପନ କରାଯିବ। ବାଧାବିହୀନ ଜଳ ଯୋଗାଣ ପାଇଁ ୪ଟି ଶକ୍ତିଶାଳୀ ଜେନେରେଟର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆସନ୍ତା ବର୍ଷ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି। ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଖୋର୍ଦ୍ଧାବାସୀଙ୍କ ଜଳ ସମସ୍ୟା ସମ୍ପୂର୍ଣ୍ଣ ରୂପେ ଦୂର ହେବ।
ପାନୀୟ ଜଳ ପ୍ରକଳ୍ପ ସହିତ ଆଜି ଖୋର୍ଦ୍ଧା ପୌର ପରିଷଦର ନୂତନ ଦ୍ୱିମହଲା କାର୍ଯ୍ୟାଳୟ କୋଠାର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ୬ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଅତ୍ୟାଧୁନିକ କାର୍ଯ୍ୟାଳୟ ପୌର ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁବ୍ୟବସ୍ଥିତ କରିବ। ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା କନକଲତା ମହାନ୍ତି , ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି, ୱାଟକୋ ମହାପ୍ରବନ୍ଧକ ରାଜେନ୍ଦ୍ର ସେଠୀ ଏବଂ ବିଡିଓ ସିଦ୍ଧାର୍ଥ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଲୋକଙ୍କ ବହୁଦିନର ଦାବି ପୂରଣ ହୋଇଥିବାରୁ ଅଞ୍ଚଳବାସୀ ସାଂସଦ ଓ ବିଧାୟକଙ୍କୁ ବେଶ୍ ପ୍ରଶଂସା କରିଛନ୍ତି।




