ଝିଅମାନଙ୍କୁ ମିଳିବ ଲକ୍ଷାଧିକ ଟଙ୍କାର ଆର୍ଥିକ ସହାୟତା;ଖୁବଶୀଘ୍ର ଆସିବ ‘କନ୍ୟା ସୁମଙ୍ଗଳ ଯୋଜନା’ର SOP

ଭୁବନେଶ୍ୱର, ୦୨/୦୪/୨୦୨୬: ରାଜ୍ୟର କନ୍ୟା ସନ୍ତାନମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’କୁ ନେଇ ଆଜି ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା (Prabhati Parida) ପ୍ରକାଶ କରିଛନ୍ତି ଯେ, ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଖୁବଶୀଘ୍ର ମାର୍ଗଦର୍ଶିକା ବା SOP ଜାରି କରାଯିବ। ଏହି ଯୋଜନା ଅଧୀନରେ ଝିଅ ଜନ୍ମ ହେବାର ପ୍ରଥମ ବର୍ଷ ମଧ୍ୟରେ ହିଁ ସରକାରଙ୍କ ପକ୍ଷରୁ ସିଧାସଳଖ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ। ଝିଅଟିକୁ ୨୧ ବର୍ଷ ବୟସ ହେବା ବେଳକୁ ସରକାର ତାଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପ୍ରଦାନ କରିସାରିଥିବେ, ଯାହା ସେମାନଙ୍କର ଶିକ୍ଷା ଏବଂ ସାମାଜିକ ନିରାପତ୍ତା କ୍ଷେତ୍ରରେ ଏକ ବଡ଼ ସହାୟତା ହେବ।
ଏହି ଯୋଜନା ମୁଖ୍ୟତଃ ଶିକ୍ଷା ଉପରେ ଆଧାରିତ (Education Based) ହେବ ବୋଲି ସୂଚନା ଦିଆଯାଇଛି। ବିଶେଷ କରି ଆର୍ଥିକ ଦୁର୍ବଳ ଶ୍ରେଣୀର ଝିଅମାନଙ୍କୁ ସ୍ନାତକ ବା ଗ୍ରାଜୁଏସନ୍ ପର୍ଯ୍ୟନ୍ତ ପାଠ ପଢ଼ାଇବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। SOP ଚୂଡ଼ାନ୍ତ ହେବା ପରେ ଏହି ଯୋଜନାର ସମ୍ପୂର୍ଣ୍ଣ ରୂପରେଖ ଏବଂ ଆବେଦନ ପ୍ରକ୍ରିୟା ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିବ। ପୂର୍ବରୁ ରାଜ୍ୟ ବଜେଟ୍ରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ, ଏବେ ଏହାକୁ କ୍ଷେତ୍ରସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରକ୍ରିୟା ତ୍ୱରାନ୍ୱିତ କରିଛନ୍ତି। ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ କନ୍ୟା ଭ୍ରୂଣ ହତ୍ୟା ରୋକିବା ସହ ଶିକ୍ଷା କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।



