୫୪ ବର୍ଷ ପରେ ପୁଣି ଚନ୍ଦ୍ର ମୁହାଁ ମଣିଷ: ଆରମ୍ଭ ହେଲା ‘ଆର୍ଟେମିଜ୍-୨’ ମିସନ

ଭୁବନେଶ୍ୱର, ୦୨/୦୪/୨୦୨୬: ମହାକାଶ ବିଜ୍ଞାନ ଇତିହାସରେ ଆଜି ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ଦୀର୍ଘ ୫୪ ବର୍ଷର ବ୍ୟବଧାନ ପରେ ପୁଣିଥରେ ଚନ୍ଦ୍ରକୁ ଯାତ୍ରା କରିଛି ମଣିଷ। ଶେଷ ଥର ପାଇଁ ୧୯୭୨ ମସିହାରେ ମଣିଷ ଚନ୍ଦ୍ର ପୃଷ୍ଠକୁ ଯାଇଥିବା ବେଳେ, ଏବେ ବହୁ ପ୍ରତିକ୍ଷିତ ‘ଆର୍ଟେମିଜ୍-୨’ (Artemis II) ମିସନର ସଫଳ ଉତକ୍ଷେପଣ କରାଯାଇଛି। ଏହି ଐତିହାସିକ ୧୦ ଦିନିଆ ମିଶନରେ ୪ ଜଣ ମହାକାଶଚାରୀ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛନ୍ତି। ଏହି ମହାକାଶଚାରୀମାନେ ଚନ୍ଦ୍ରର ଅତି ନିକଟକୁ ଯାଇ ଏହାକୁ ପ୍ରଦକ୍ଷଣ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ପୃଥିବୀକୁ ଫେରିବେ। ଏହି ଯାତ୍ରା ସମୟରେ ମହାକାଶଚାରୀମାନେ ପୃଥିବୀଠାରୁ ସବୁଠୁ ଅଧିକ ଦୂରତା ଅତିକ୍ରମ କରିବାର ଏକ ନୂତନ ରେକର୍ଡ ମଧ୍ୟ ସ୍ଥାପନ କରିବାକୁ ଯାଉଛନ୍ତି।
ଏହି ମିସନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆହ୍ୱାନପୂର୍ଣ୍ଣ ସମୟ ହେଉଛି ସେହି ୪୫ ମିନିଟ୍, ଯେତେବେଳେ ମହାକାଶ ଯାନଟି ପୃଥିବୀ ସହ ସମ୍ପୂର୍ଣ୍ଣ ଭାବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବ। ଚନ୍ଦ୍ରର ଅପର ପାର୍ଶ୍ୱକୁ ଯିବା ସମୟରେ ଏହି ‘ବ୍ଲାକ୍ ଆଉଟ୍’ (Blackout) ସ୍ଥିତି ଉପୁଜିବ, ଯାହା ମହାକାଶଚାରୀଙ୍କ ଧୈର୍ଯ୍ୟ ଓ ବୈଷୟିକ କୌଶଳର ବଡ଼ ପରୀକ୍ଷା ନେବ। ଏହି ମିସନ କେବଳ ଚନ୍ଦ୍ରକୁ ପ୍ରଦକ୍ଷଣ କରିବା ପାଇଁ ନୁହେଁ, ବରଂ ଆଗାମୀ ଦିନରେ ଚନ୍ଦ୍ର ପୃଷ୍ଠରେ ମଣିଷର ସ୍ଥାୟୀ ବସତି ସ୍ଥାପନ ଏବଂ ମଙ୍ଗଳ ଗ୍ରହ ଅଭିଯାନ ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସାରା ବିଶ୍ୱର ନଜର ଏବେ ଏହି ୪ ଜଣ ସାହସୀ ମହାକାଶଚାରୀଙ୍କ ଉପରେ ରହିଛି, ଯେଉଁମାନେ ମାନବ ଜାତିର ସୀମାକୁ ମହାକାଶର ଅନନ୍ତ ଗଭୀରତା ପର୍ଯ୍ୟନ୍ତ ବିସ୍ତାର କରିବାକୁ ଯାଉଛନ୍ତି।




