ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ସୁପ୍ରିମକୋର୍ଟ


ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଣି ଥରେ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ମାଲଦାଠାରେ SIR (Special Investigation/Review) କାର୍ଯ୍ୟରେ ନିୟୋଜିତ ତିନି ମହିଳା ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ଗୁରୁତର ସହ ନେଇଛନ୍ତି ସର୍ବୋଚ୍ଚ ଅଦାଲତ। ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ରାଜ୍ୟର ସ୍ଥିତିକୁ ‘ବିପର୍ଯ୍ୟସ୍ତ’ ବୋଲି ଅଭିହିତ କରିବା ସହ ମୁଖ୍ୟ ସଚିବ, ଗୃହ ସଚିବ ଏବଂ ପୋଲିସ ଡିଜି (DGP)ଙ୍କୁ ‘କାରଣ ଦର୍ଶାଅ’ ନୋଟିସ ଜାରି କରିଛନ୍ତି। ଅଦାଲତ SIRର ସୁପରିଚାଳନା ପାଇଁ ତୁରନ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସଂପୃକ୍ତ ଅଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ରହୁଥିବା ସ୍ଥାନରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ନିର୍ବାଚନ କମିଶନଙ୍କୁ କୁହାଯାଇଛି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର କାର୍ଯ୍ୟ କରିବାକୁ ବାଧ୍ୟ। ଏହାବ୍ୟତୀତ, ବିବାଦୀୟ ସ୍ଥଳରେ ୫ ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏକ ନିରପେକ୍ଷ ସଂସ୍ଥା ଯଥା CBI କିମ୍ବା NIA ଦ୍ୱାରା ତଦନ୍ତ କରାଇବାକୁ ଅଦାଲତ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତକାରୀ ସଂସ୍ଥା ନିଜର ରିପୋର୍ଟ ସିଧାସଳଖ ସୁପ୍ରିମକୋର୍ଟରେ ଦାଖଲ କରିବେ।




