
ଭୁବନେଶ୍ୱର , ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କ ହିତକୁ ଦୃଷ୍ଟିରେ ରଖି ଧାନ କିଣା ଅବଧିକୁ ଆଉ ୭ ଦିନ ପାଇଁ ବୃଦ୍ଧି କରାଯାଇଛି । ବିଶେଷ କରି ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଚାଷୀମାନଙ୍କ ପାଖରେ ବିକ୍ରି ନହୋଇ ପଡ଼ିରହିଥିବା ଧାନକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।
ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଏବଂ ସେମାନେ ଯେପରି ଅଭାବୀ ବିକ୍ରିର ଶିକାର ନହୁଅନ୍ତି, ସେଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏହି ସମୟସୀମାକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ମାର୍ଚ୍ଚ ୩୧ ପରେ ଏବେ ଏହି ପ୍ରକ୍ରିୟା ଆଉ ୭ ଦିନ ପର୍ଯ୍ୟନ୍ତ ଜାରି ରହିବ । ଯେଉଁ ଚାଷୀଙ୍କ ପାଖରେ ବୈଧ ଟୋକନ୍ ଅଛି କିନ୍ତୁ ଧାନ ବିକ୍ରି କରିପାରିନାହାନ୍ତି, ସେମାନଙ୍କୁ ପ୍ରାଥମିକତା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣପାତ୍ର ।
ମାର୍ଚ୍ଚ ୩୧ରେ ଖରିଫ ଧାନକିଣା ଅବଧି ଶେଷ ହୋଇଥିଲା । ହେଲେ ଏବେବି ଅନେକ ଚାଷୀଙ୍କ ଧାନ କିଣା ହୋଇନଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।




