ଓଡ଼ିଶାରାଜନୀତି

ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ ୨୦୨୬

ଭୁବନେଶ୍ୱର, ୦୧/୦୪/୨୦୨୬: ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ଗଠନର ୯୧ତମ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷର ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋରେ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ଉତ୍କଳମଣିଙ୍କ ସ୍ମୃତିକୁ ଅମ୍ଲାନ ରଖିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁଙ୍କ ଷଠିଘର ପରିଦର୍ଶନ କରିବା ସହ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସାକ୍ଷୀଗୋପାଳ ସ୍ଥିତ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ସ୍ଥାନରେ ଜନ୍ମ ହୋଇ ଅସାଧାରଣ କର୍ମ ବଳରେ ମଣିଷ କିପରି ଇଶ୍ୱରତୁଲ୍ୟ ହୋଇପାରେ, ଉତ୍କଳମଣି ତାହାର ଶ୍ରେଷ୍ଠ ଉଦାହରଣ।

ସତ୍ୟବାଦୀ ଅଞ୍ଚଳ ତଥା ଐତିହାସିକ ବନ ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋଟ ୫୮୫ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଏଥିମଧ୍ୟରୁ ୪୯୫ କୋଟି ଟଙ୍କା ସତ୍ୟବାଦୀର ପୁନର୍ବିକାଶ ଏବଂ ହେରିଟେଜ୍ କରିଡର ନିର୍ମାଣ ପାଇଁ ଖର୍ଚ୍ଚ ହେବାକୁ ଥିବା ବେଳେ ୯୦ କୋଟି ଟଙ୍କା ବ୍ୟୟରେ ବକୁଳବନର ପୁନରୁଦ୍ଧାର କରାଯାଇ ଏହାକୁ ଏକ ପ୍ରମୁଖ ସାଂସ୍କୃତିକ ଓ ଆଧ୍ୟାତ୍ମିକ କେନ୍ଦ୍ର ଭାବେ ଗଢ଼ି  ହେବ। ସେହିପରି ପୁରୀ ଜିଲ୍ଲାର ବିକାଶ ପାଇଁ ମଧ୍ୟ ଅନେକ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି। ପୁରୀରେ ଏକ ବିଶ୍ୱସ୍ତରୀୟ ‘ଶ୍ରୀଜଗନ୍ନାଥ ସଂଗ୍ରହାଳୟ’ ସହ ଏକ ହଜାର କୋଟି ଟଙ୍କା ବ୍ୟୟରେ ପାଠାଗାର ନିର୍ମାଣ ହେବ। ଏହା ସହିତ ପୁରୀରେ ୱର୍ଲଡ ଟୁରିଜିମ୍ ସେଣ୍ଟର (World Tourism Centre), କ୍ରୁଜ୍ ଟର୍ମିନାଲ୍ ଏବଂ ୧୫୦୦ ଏକର ପରିମିତ ଅଞ୍ଚଳରେ ଶାମୁକା ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ, ଯାହା ପୁରୀକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବ।

ରାଜ୍ୟର ଭିତ୍ତିଭୂମି ଓ ଶିଳ୍ପ ବିକାଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ବ୍ରହ୍ମପୁରରୁ ଜୟପୁର ପର୍ଯ୍ୟନ୍ତ ବିଶ୍ୱସ୍ତରୀୟ ସଡ଼କ ଏବଂ ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ୯୬୯ କିଲୋମିଟର ଦୀର୍ଘ ‘ଅଟଳ ଏକ୍ସପ୍ରେସ୍ ୱେ’ ନିର୍ମାଣ ପାଇଁ ଯୋଜନା ହୋଇଛି। ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ସହ ରାଜ୍ୟର ଅନ୍ୟ ୭ଟି ସ୍ଥାନରେ ବିମାନବନ୍ଦର ଏବଂ ୧୫ଟି ଜିଲ୍ଲାରେ ହେଲିପୋର୍ଟ ନିର୍ମାଣ କରାଯିବ। କେନ୍ଦ୍ରାପଡ଼ାରେ ୨୫ ହଜାର କୋଟିର ମେଗା ସିପ୍ ବିଲଡିଂ କ୍ଲଷ୍ଟର ଏବଂ ଗଞ୍ଜାମର ବାହୁଦାଠାରେ ସାଟେଲାଇଟ୍ ପୋର୍ଟ ନିର୍ମାଣ ପ୍ରକ୍ରିୟା ଜାରି ରହିଛି। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ୍ ଡଲାର ଅର୍ଥନୀତିରେ ପରିଣତ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ।

ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବଡ଼ ପଦକ୍ଷେପ ନିଆଯାଇଛି। ଆର୍ଥିକ ଅନଗ୍ରସର ପରିବାରର କନ୍ୟା ସନ୍ତାନମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରୋତ୍ସାହିତ କରିବାକୁ ‘ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା’ ଆରମ୍ଭ କରାଯାଇଛି, ଯେଉଁଥିରେ ଗ୍ରାଜୁଏଟ୍ ହେବା ପରେ ଝିଅମାନଙ୍କୁ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ ସେବାରେ ଉନ୍ନତି ପାଇଁ ରାଜ୍ୟରେ ୯ ହଜାର ଡାକ୍ତର ପଦବୀ ପୂରଣ ସହ ଗଜପତି, ମାଲକାନଗିରି ଓ ରାୟଗଡ଼ା ଭଳି ଅଞ୍ଚଳରେ ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିବା ସହ ଓଡ଼ିଶା ପୋଲିସକୁ ମିଳିଥିବା ‘ପ୍ରେସିଡେଣ୍ଟସ୍ କଲର୍ ଆୱାର୍ଡ’ ପାଇଁ ଖୁସି ବ୍ୟକ୍ତ କରିଛନ୍ତି। ସମ୍ବିତ ପାତ୍ର, ଓମ୍ ପ୍ରକାଶ ମିଶ୍ର ଏବଂ ଉପାସନା ମହାପାତ୍ରଙ୍କ ଭଳି ପ୍ରମୁଖ ନେତୃତ୍ୱ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Related Articles

Back to top button