ଆଜିଠୁ ସାରା ଦେଶରେ ବିକ୍ରି ହେବ ଇଥାନଲ ମିଶ୍ରିତ ପେଟ୍ରୋଲ: ଜାଣନ୍ତୁ ଆପଣଙ୍କ ଗାଡ଼ି ଉପରେ ଏହାର କି ପ୍ରଭାବ ପଡ଼ିବ

ଭୁବନେଶ୍ୱର, ୦୧/୦୪/୨୦୨୬: ଆଜିଠାରୁ ସାରା ଦେଶରେ ଇଥାନଲ ମିଶ୍ରିତ ପେଟ୍ରୋଲ ବିକ୍ରିକୁ କେନ୍ଦ୍ର ସରକାର ବାଧ୍ୟତାମୂଳକ କରିଛନ୍ତି। ବିଶ୍ୱବ୍ୟାପୀ ଦେଖାଦେଇଥିବା ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ E20 ପେଟ୍ରୋଲ ବିକ୍ରି ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ନୂତନ ନିୟମ ଅନୁଯାୟୀ, ଆଜିଠାରୁ ଗାଡ଼ିରେ ବ୍ୟବହୃତ ହେବାକୁ ଥିବା ତେଲରେ ୮୦ ପ୍ରତିଶତ ପେଟ୍ରୋଲ ଏବଂ ୨୦ ପ୍ରତିଶତ ଇଥାନଲ ରହିବ। ଏହି ଘୋଷଣା ପରେ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏପ୍ରିଲ ୨ ତାରିଖରୁ ଗାଡ଼ିଗୁଡ଼ିକର PUCC ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ ପୁଣିଥରେ କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି।
ଉତ୍କଳ ପେଟ୍ରୋଲିୟମ ଡିଲର ସଙ୍ଘର ସମ୍ପାଦକଙ୍କ ସୂଚନା ଅନୁଯାୟୀ, ଇଥାନଲ ହେଉଛି ଏକ ପ୍ରକାର ଆଲକୋହଲ ଯାହା ବୈଜ୍ଞାନିକ ପଦ୍ଧତିରେ ଆଖୁ ରସ, ମକା, ପଚା ଆଳୁ ଏବଂ ପନିପରିବା ଭଳି ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କରାଯାଏ। ଏହା ପରିବେଶ ପାଇଁ ବେଶ୍ ଅନୁକୂଳ ହେବା ସହ ଏହାର ମୂଲ୍ୟ ଲିଟର ପିଛା ୬୦ ରୁ ୭୦ ଟଙ୍କା ମଧ୍ୟରେ ରହିଛି। ପେଟ୍ରୋଲରେ ଏହାକୁ ମିଶାଇବା ଦ୍ୱାରା ଏହା ଯାନବାହନ ପାଇଁ ଏକ ଶସ୍ତା ଏବଂ ସୁରକ୍ଷିତ ଇନ୍ଧନ ଭାବେ କାର୍ଯ୍ୟ କରିବ। ଏହି ପଦକ୍ଷେପ ଦ୍ୱାରା ଦେଶର ବିଦେଶୀ ମୁଦ୍ରା ସଞ୍ଚୟ ହେବା ସହ କୃଷକମାନେ ମଧ୍ୟ ଲାଭବାନ ହୋଇପାରିବେ।
ଅଟୋମୋବାଇଲ୍ ଇଞ୍ଜିନିୟର ମାନଙ୍କ ମତରେ, E20 ପେଟ୍ରୋଲ ଗାଡ଼ି ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ଇଞ୍ଜିନର କାର୍ଯ୍ୟଦକ୍ଷତା ବଢ଼ାଇବା ସହ ମାଇଲେଜ୍ ବୃଦ୍ଧିରେ ସହାୟକ ହୋଇଥାଏ। ଏହା ଇଞ୍ଜିନକୁ ଅଧିକ ଗରମ ହେବାରୁ ରକ୍ଷା କରେ ଏବଂ ସାଧାରଣ ପେଟ୍ରୋଲ ତୁଳନାରେ ୩୫ ପ୍ରତିଶତ କମ୍ କାର୍ବନ ମୋନୋକ୍ସାଇଡ୍ ନିର୍ଗମନ କରିଥାଏ। ତେବେ ୨୦୨୩ ପୂର୍ବରୁ କିଣାଯାଇଥିବା BS-4 ଏବଂ BS-5 ଗାଡ଼ିଗୁଡ଼ିକରେ ଏହି ତେଲ ବ୍ୟବହାର କଲେ ମାଇଲେଜ୍ ପ୍ରାୟ ୩ ରୁ ୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି।




