Uncategorized

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତିଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଉତ୍କଳ ଦିବସ । ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ଆଜି 90 ବର୍ଷ ପୁରଣ ହୋଇଛି । ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ଆଜି ଓଡ଼ିଶା ମାନ୍ୟତା ହାସଲ କରିଥିଲା । ଏହି ସଫଳତା ପଛରେ ନିଜର ବଳିଦାନ ଦେଇଥିବା ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ତାଙ୍କ ମହାନତାକୁ ନତମସ୍ତକ ପ୍ରଣାମ । ଚଳିତବର୍ଷ ଉତ୍କଳ ଦିବସ ଅବସରରେ ଆଜିଠାରୁ ଆସନ୍ତା ଏପ୍ରିଲ 14 ତାରିଖ ପର୍ଯ୍ୟନ୍ତ 15 ଦିନ ଧରି ‘ଓଡ଼ିଆ ପକ୍ଷ’ ଭାବେ ଧୁମ୍‌ଧାମ୍‌ରେ ପାଳନ କରାଯିବ । ରାଜ୍ୟ ପାଇଁ ଆଜି ଏକ ଗରିମାମୟ ଦିବସ । ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ନିଜ ଭାଷା, ରାଜ୍ୟ, ଐତିହ୍ୟ, ଇତିହାସକୁ ନେଇ ଗର୍ବ ଅନୁଭବ କରିଥାନ୍ତି । ଦେଶର ବହୁ ଉଚ୍ଚ ପଦପଦବୀରେ ଏବେ ଓଡ଼ିଆମାନେ ରହି ଦେଶର ପ୍ରଗତିରେ ଅସୀମ ଯୋଗଦାନ ଦେଉଛନ୍ତି । ଆଜି ଓଡ଼ିଶା ସହିତ ଓଡ଼ିଆ ଭାଷାଭାଷୀ ଲୋକଙ୍କ ପାଇଁ ଏକ ଗର୍ବର ଦିନ । ଏହି ଅବସରରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନେକ କେନ୍ଦ୍ରମନ୍ତ୍ରୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ଓଡିଶା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଓଡିଆଙ୍କ ମଙ୍ଗଳକାମନା କରି ରାଷ୍ଟ୍ରପତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ସେ ନିଜ X ପୋଷ୍ଟରେ ଲେଖିଛନ୍ତି, “ଓଡ଼ିଶା ଦିବସ ଉପଲକ୍ଷେ ଓଡ଼ିଶାବାସୀ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସୁପ୍ରାଚୀନ ପରମ୍ପରା ତଥା ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଓ ସହନଶୀଳତାର ସ୍ୱାକ୍ଷର ବହନ କରେ ଏହି ଦିବସ । ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ରଗଠନରେ ଓଡ଼ିଶାର ଅମୂଲ୍ୟ ଯୋଗଦାନ ଆମ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଦେଇଆସିଛି । ବିକଶିତ ଭାରତ ନିର୍ମାଣରେ କୁଶଳ ଏବଂ କର୍ମଠ ଓଡ଼ିଶାବାସୀଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ । ଆଜିର ଏହି ଶୁଭ ଅବସରରେ ଓଡ଼ିଶାବାସୀଙ୍କ ସୁଖ-ସମୃଦ୍ଧି ଓ ମଙ୍ଗଳ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଅଛି ।” ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଅବସରରେ ଆଜି ଦେଶର ପ୍ରଧାନମନ୍ତ୍ରୀ ସମଗ୍ର ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସେ ନିଜ X ପୋଷ୍ଟରେ ଲେଖିଛନ୍ତି, “ଉତ୍କଳ ଦିବସର ବିଶେଷ ଅବସରରେ ହାର୍ଦ୍ଦିକ ଶୁଭକାମନା। ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ଏକ ଶାଶ୍ୱତ ପ୍ରତୀକ ରୂପେ ସଗୌରବେ ଦଣ୍ଡାୟମାନ ରହିଛି। ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ମାର୍ଗରେ ସମୃଦ୍ଧ କରିଛି। ନିଜର ଦୃଢ଼ସଂକଳ୍ପ, ସରଳତା ଏବଂ ସ୍ନେହ ପାଇଁ ପରିଚିତ ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଓଡ଼ିଶା ଆଗାମୀ ଦିନରେ ପ୍ରଗତିର ନୂଆ ଶିଖର ଛୁଇଁବ ବୋଲି ଆଶା କରୁଛି ।” ଆଜି ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାବାସୀଙ୍କୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜ X ପୋଷ୍ଟରେ ଲେଖିଛନ୍ତି, “ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା।”

Related Articles

Back to top button