ଓଡ଼ିଶାରୁ ବିଦେଶକୁ ସିଧା ଉଡ଼ାଣ: ରାଜଧାନୀରେ ଭିସା କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ବର: ଆପଣ ବିଦେଶ ଗସ୍ତରେ ଯିବା ପୂର୍ବରୁ ଭିସା ପାଇଁ ଦିଲ୍ଲୀ, କୋଲକାତା, ମୁମ୍ବାଇ କିମ୍ବା ହାଇଦ୍ରାବାଦ ଦୌଡୁଛନ୍ତି କି ? ଭିସା ଆବେଦନ ପାଇଁ ଅନ୍ୟ ସହରକୁ ଧାଇଁ ଖର୍ଚ୍ଚାନ୍ତ ହେଉଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ଆରମ୍ଭ ହୋଇଛି ଭିସା ଆବେଦନ କେନ୍ଦ୍ର । ଭୁବନେଶ୍ୱର ବାବା ସାହେବ ଆମ୍ୱେଦକର ବସ ଟର୍ମିନାଲରେ VFS ଗ୍ଲୋବାଲ ଦ୍ୱାରା ପରିଚାଳିତ ନୂତନ ଭିସା ଆବେଦନ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଉଦଘାଟନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଦେଶ ଓ ପରେ ଅନ୍ୟାନ୍ୟ ଦେଶକୁ ଭିସା ସୁବିଧା ଉପଲବ୍ଧ ହେବ । ଓଡିଶାର ଗ୍ଲୋବାଲ କନେକ୍ଟିଭିଟି ଢାଞ୍ଚା ସୁଦୃଢ ହେବା ସହ ଓଡିଶାବାସୀଙ୍କ ବିଦେଶ ଯାତ୍ରାକୁ ସହଜ, ଶିଳ୍ପ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଏବଂ ଆନ୍ତର୍ଜାତୀୟ ସମ୍ପର୍କକୁ ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାର ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ବାବା ସାହେବ ଆମ୍ବେଦକର ବସ ଟର୍ମିନାଲ ଭିତରେ ପ୍ରାୟ ୩,୦୦୦ ବର୍ଗଫୁଟ ଜାଗା ଭିସା ସେଣ୍ଟର ପାଇଁ ପ୍ରଦାନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ର ୟୁନାଇଟେଡ କିଙ୍ଗଡମ, ଆୟରଲ୍ୟାଣ୍ଡ, ଅଷ୍ଟ୍ରିଆ, ଏସ୍ତୋନିଆ, ଇଟାଲୀ, ମାଲ୍ଟା, ସ୍ୱିଜରଲ୍ୟାଣ୍ଡ, ଜାପାନ, ମରୋକ୍କୋ ଓ ଇଜିପ୍ଟ ସହିତ ମୋଟ ୧୦ଟି ଦେଶ ପାଇଁ ଭିସା ସେବା ପ୍ରଦାନ କରିବ । ଆଗାମୀ ଦିନରେ ଅଧିକ ଦେଶକୁ ଏହି ସେବାରେ ଯୋଡାଯିବ ।




