
ଭୁବନେଶ୍ୱର, ୩୦ ମାର୍ଚ୍ଚ ୨୦୨୬: ରାଜ୍ୟର ଚାଷୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମ୍ନାକୁ ଆସିଛି। ଧାନ ସଂଗ୍ରହ ସମୟ ସୀମାକୁ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଏକ ବଡ଼ ସୂଚନା ଦେଇଛନ୍ତି। କାଲି ଅର୍ଥାତ୍ ମାର୍ଚ୍ଚ ୩୧ ସୁଦ୍ଧା ଧାନ କିଣା ପାଇଁ ଡେଡ୍ଲାଇନ୍ ଧାର୍ଯ୍ୟ ହୋଇଥିବା ବେଳେ, ଦରକାର ପଡ଼ିଲେ ଏହି ଅବଧିକୁ ଆଉ ୨ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି।
ଧାନ କିଣା ସମସ୍ୟାକୁ ନେଇ ଯାଜପୁରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶତାଧିକ ଚାଷୀ ଟ୍ରାକ୍ଟର ଓ ଅଟୋରେ ଧାନ ବସ୍ତା ଲଦି ମେଡିକାଲ ଛକରୁ ଦଣ୍ଡବତ ପ୍ରଣାମ କରି କରି ଜିଲ୍ଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଆସିଥିଲେ। ଚାଷୀମାନେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାନ ଲୋଡ୍ ଥିବା ଗାଡ଼ି ରଖି ଏକ ପ୍ରତିବାଦ ସଭା କରିଛନ୍ତି।
ଆନ୍ଦୋଳନକାରୀ ଚାଷୀମାନେ ଦାବି କରିଛନ୍ତି ଯେ, ସେମାନଙ୍କ ପାଖରେ ଥିବା ବଳକା ଧାନ, ଟୋକନ ଲାପ୍ସ (Token Lapse) ହୋଇଥିବା ଧାନ ଏବଂ ଭାଗଚାଷୀଙ୍କ ଟୋକନ ବିହୀନ ଧାନକୁ ତୁରନ୍ତ ସରକାର କିଣନ୍ତୁ। ଏଥିପାଇଁ କେନ୍ଦ୍ରୀୟ ମଣ୍ଡି ଖୋଲି ଆଜି ହିଁ ଜିଲ୍ଲା ପ୍ରଶାସନ ଧାନ କିଣିବାକୁ ସେମାନେ ଜିଦ୍ ଧରିଛନ୍ତି।
ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ ରହିଥିବା ବେଳେ ଚାଷୀମାନେ ଅଫିସ ସମ୍ମୁଖରେ ବସି ରହିଛନ୍ତି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସରକାର ଧାନ କିଣା ଅବଧି ବଢ଼ାଇବାକୁ ସଂକେତ ଦେଇଥିଲେ ମଧ୍ୟ ଚାଷୀମାନେ ନିଜ ଜିଦ୍ରେ ଅଟଳ ରହିଛନ୍ତି।




