ଓଡ଼ିଶାରାଜନୀତି

ନବୀନ ନିବାସରେ କଟକର ୮ କର୍ପୋରେଟର: ରାଜ୍ୟସଭା କ୍ରସ୍ ଭୋଟିଂକୁ ନେଇ କଟକ ବିଜେଡିରେ ହଟଚମଟ

ଭୁବନେଶ୍ୱର/କଟକ, ୩୦ ମାର୍ଚ୍ଚ ୨୦୨୬: କଟକ ରାଜନୀତିରେ ଏବେ ହଟଚମଟ ଦେଖିବାକୁ ମିଳିଛି। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗକୁ ନେଇ ଦଳ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ କଟକ-ଚୌଦ୍ୱାରର ୮ ଜଣ କର୍ପୋରେଟର ନବୀନ ନିବାସରେ ପହଞ୍ଚିଛନ୍ତି। ଦଳୀୟ ସୁପ୍ରିମୋଙ୍କ ଡକରା ପରେ ଏହି କର୍ପୋରେଟରମାନେ ଆଲୋଚନା ପାଇଁ ପହଞ୍ଚିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆଜି କଟକ ମହାନଗର ବିଜୁ ଜନତା ଦଳ ପକ୍ଷରୁ ମାଛୁଆ ବଜାର ଛକରେ ଏକ ବିଶାଳ ପ୍ରତିବାଦ ସଭା କରାଯାଇଥିଲା। କଟକ ମେୟର ସୁବାସ ସିଂ ଓ ଜିଲ୍ଲା ସଭାପତି ପ୍ରଫୁଲ୍ଲ ସିଂଙ୍କ ନେତୃତ୍ୱରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ୩ ବିଧାୟକଙ୍କ ବିରୋଧରେ ନାରାବାଜି କରାଯାଇଥିଲା। ବାଙ୍କି ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଓ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।

ଏହି ପ୍ରତିବାଦ ସମୟରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ମଧ୍ୟ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଧାୟକ ସୌଭିକ ବିଶ୍ୱାଳଙ୍କ ସମର୍ଥକମାନେ ଏହି କୁଶପୁତ୍ତଳିକା ଦାହକୁ ତୀବ୍ର ବିରୋଧ କରିଥିଲେ। ଅନ୍ୟପଟେ, ୧୪ ଜଣ କର୍ପୋରେଟର ଦଳ ଛାଡ଼ିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି।

କଟକ ବିଜେଡିର ଏହି ବିବାଦୀୟ ସ୍ଥିତିକୁ ଦେଖି ଦଳୀୟ ନେତୃତ୍ୱ ସକ୍ରିୟ ହୋଇଛନ୍ତି। ପ୍ରତାପ ଜେନାଙ୍କ ସହ ୮ କର୍ପୋରେଟରଙ୍କ ନବୀନ ନିବାସ ଗସ୍ତ ପରେ ଦଳ ମଧ୍ୟରେ ଥିବା ମତାନ୍ତର ଦୂର ହେଉଛି ନା ସ୍ଥିତି ଆହୁରି ଜଟିଳ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Related Articles

Back to top button