ଓଡ଼ିଶାରାଜନୀତି

ବେକାବୁ ଆଇନ୍, ବେସରମ ସରକାର: ଶ୍ୱେତପତ୍ର ତଥ୍ୟକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର, ୨୮ ମାର୍ଚ୍ଚ ୨୦୨୬: ରାଜ୍ୟ ସରକାର ବିଧାନସଭାରେ ଉପସ୍ଥାପନ କରିଥିବା ଶ୍ୱେତପତ୍ର ତଥ୍ୟକୁ ଆଧାର କରି ଓଡ଼ିଶାର ଆଇନ-ଶୃଙ୍ଖଳା ପରିସ୍ଥିତି ଉପରେ ବର୍ଷିଛି କଂଗ୍ରେସ। ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାସ ଏବଂ ଡ. ମନୀଷା ଦାସ ପଟ୍ଟନାୟକ ସରକାରଙ୍କ ବିଫଳତାକୁ କଡ଼ା ସମାଲୋଚନା କରିଛନ୍ତି। ସରକାରଙ୍କ ନିଜସ୍ୱ ତଥ୍ୟ ଅନୁଯାୟୀ, ୨୦୨୪ ତୁଳନାରେ ୨୦୨୫ରେ ଅପରାଧ ହାର ୭.୩% ବୃଦ୍ଧି ପାଇଥିବା କଂଗ୍ରେସ ଦର୍ଶାଇଛି।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ମୋଟ ୨,୨୯,୮୮୧ ମାମଲା ରୁଜୁ ହୋଇଛି। ଏଥିମଧ୍ୟରେ ୧,୩୦୪ଟି ହତ୍ୟା (ପ୍ରତିଦିନ ପ୍ରାୟ ୪ଟି), ୨,୯୯୪ଟି ବଳାତ୍କାର ଏବଂ ୨୧,୧୯୨ଟି ଚୋରି ମାମଲା ରହିଛି। ବିଶେଷ କରି ଚୋରି ମାମଲା ୧୯% ବୃଦ୍ଧି ପାଇବା ଚିନ୍ତାର ବିଷୟ। ତଦନ୍ତ ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ଦୁର୍ବଳ ରହିଛି, ଯେଉଁଠାରେ ହତ୍ୟା ମାମଲାରେ ମାତ୍ର ୪୬% ଚାର୍ଜସିଟ୍ ଦାଖଲ ହୋଇଛି। ଏହାକୁ “ଡବଲ୍ ଇଞ୍ଜିନ୍” ନୁହେଁ ବରଂ “ଡବଲ୍ ଅପରାଧ ଓ ଟ୍ରିପଲ୍ ବିଫଳତା” ବୋଲି କଂଗ୍ରେସ ଆଖ୍ୟା ଦେଇଛି।

ଡ. ମନୀଷା ଦାସ ପଟ୍ଟନାୟକ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଜଣେ ନାବାଳକକୁ ନିର୍ଯାତନା ଦିଆଯିବା ଘଟଣା ଉଠାଇଥିଲେ। ଏହି ମାମଲାରେ ଜଣେ ବିଜେପି ନେତାଙ୍କ ସମ୍ପର୍କୀୟ ସାମିଲ ଥିବାରୁ ସ୍ଥାନୀୟ ବିଧାୟିକା, ସାଂସଦ ଓ ଏସପିଙ୍କ ନିରବତାକୁ ସେ ପ୍ରଶ୍ନ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟ ସାଇବର ଅପରାଧର ଶିକାର ହେବା ଘଟଣା ଉଲ୍ଲେଖ କରି ସାଧାରଣ ମହିଳାଙ୍କ ସୁରକ୍ଷା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି। ଏସସିବି ଅଗ୍ନିକାଣ୍ଡକୁ ଜଣେ ବିଧାୟକ “ସାଧାରଣ ଘଟଣା” କହିବା ଅତ୍ୟନ୍ତ ଅସମ୍ବେଦନଶୀଳ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଓ ବିଧାୟକମାନେ ନିଜ ଇଚ୍ଛାରେ କାମ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଦୁର୍ବଳ ସାଜିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଡ. ମନୀଷା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ସାମ୍ବିଧାନିକ ଶକ୍ତି ବୁଝିବା ପାଇଁ ପରାମର୍ଶ ଦେଇ କହିଛନ୍ତି ଯେ, ଶାସନକୁ ୧୮ ମାସ ବିତିଯାଇଥିଲେ ମଧ୍ୟ ସେ ନିଜ ଶକ୍ତି ଅନୁଭବ କରିପାରିନାହାନ୍ତି। ପୋଲିସ କେବଳ ନେତାମାନଙ୍କୁ ପ୍ରହରା ଦେବାରେ ବ୍ୟସ୍ତ ରହିଲେ ରାଜ୍ୟରେ “ଥାନା ଚୋରି” ହେବା ଭଳି ସ୍ଥିତି ଉପୁଜିବ ବୋଲି ସେ କହିଛନ୍ତି।

ଶେଷରେ, କଂଗ୍ରେସ ଦାବି କରିଛି ଯେ ଦଳୀୟ ପ୍ରଭାବକୁ ଅଣଦେଖା କରି ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଲୋକଙ୍କର ଆଇନ-ଶୃଙ୍ଖଳା ଉପରେ ଆସ୍ଥା ଫେରାଇ ଅଣାଯାଉ।

Related Articles

Back to top button