ଓଡ଼ିଶାରାଜନୀତି

ଏସ୍‌ସିବି ଅଗ୍ନିକାଣ୍ଡ: ମୃତକଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇବେ ମିଳିତ ବିରୋଧୀ ଦଳ, କଂଗ୍ରେସ ଭବନରେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର, ୨୮ ମାର୍ଚ୍ଚ ୨୦୨୬: କଟକ ଏସ୍‌ସିବି ମେଡିକାଲ କଲେଜରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡ ଓ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରଶାସନିକ ଅବହେଳା ଓ ରାଜନୈତିକ ଅପାରଗତା ଯୋଗୁଁ ଆଇସିୟୁରେ ଚିକିତ୍ସିତ ହେଉଥିବା ନିରୀହ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ କରି ଆସନ୍ତା ୩୦ ତାରିଖରେ ମିଳିତ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି ପରିପ୍ରେକ୍ଷୀରେ ଆଜି କଂଗ୍ରେସ ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ କୁହାଯାଇଛି ଯେ, ସରକାର ଏହି ବଡ଼ ଧରଣର ବିପର୍ଯ୍ୟୟ ପାଇଁ ଦାୟିତ୍ୱ ନିଜ ଉପରକୁ ନେବାକୁ ନାରାଜ ଅଛନ୍ତି। ନିରୀହ ଲୋକଙ୍କ ଜୀବନ ଯାଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇ ନାହିଁ। ଏହାର ପ୍ରତିବାଦରେ ଆସନ୍ତା ସୋମବାର ଦିନ ରାଜଧାନୀର ରାଜରାସ୍ତାରେ ମିଳିତ ବିରୋଧୀ ଦଳ ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଆଜିର ଏହି ବୈଠକରେ ଆସନ୍ତାକାଲିର ଆନ୍ଦୋଳନ ପାଇଁ ଚୂଡ଼ାନ୍ତ ରଣନୀତି ପ୍ରସ୍ତୁତ କରାଯାଇଛି।

ଏହି ପ୍ରସ୍ତୁତି ବୈଠକରେ କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ପଞ୍ଚାନନ କାନୁନ୍‌ଗୋ, ସୁରେଶ କୁମାର ରାଉତରାୟ, ସମୀର ରାଉତରାୟ, ଶିବାନନ୍ଦ ରାୟ, ପ୍ରକାଶ ଜେନା, ଅରବିନ୍ଦ ଦାସ, ମାନସ ଆଚାର୍ଯ୍ୟ, ଅଭୟ ସାହୁ, ରମୁ ପାତ୍ର ଓ ସିଦ୍ଧାର୍ଥ ଦାସ ପ୍ରମୁଖ ସାମିଲ ହୋଇଥିଲେ। ଏଥିସହ ଶୁଭେନ୍ଦୁ ମହାନ୍ତି, ଚିନ୍ମୟ ସୁନ୍ଦର ଦାସ, ତରୁଣ ମିଶ୍ର, ଜୟଶ୍ରୀ ପଟ୍ଟନାୟକ, ପ୍ରକାଶ ମିଶ୍ର, ହିମାଂଶୁ ଲେଙ୍କା, ଜୟଶ୍ରୀ ପାତ୍ର, ସନ୍ତୋଷ ପ୍ରଧାନ ଓ ଚାଲୁ ମଙ୍ଗରାଜ ମଧ୍ୟ ଉପସ୍ଥିତ ରହି ନିଜର ମତ ରଖିଥିଲେ।

ଏହି ଆନ୍ଦୋଳନ ଜରିଆରେ ବିରୋଧୀ ଦଳ ମୃତକଙ୍କ ପରିବାରକୁ ଉପଯୁକ୍ତ ନ୍ୟାୟ ଓ କ୍ଷତିପୂରଣ ସହ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Related Articles

Back to top button